
ଟିଟିଲାଗଡ଼ : ଟିଟିଲାଗଡ଼ର ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରା ଚାଲିଥିବାବେଳେ ସ୍ଥାନୀୟ ବିଧାୟକ ନବୀନ ଜୈନ ନିଜ ପିସ୍ତଲ ବାହାର କରି ଗୁଳିଚାଳନା କରିଛନ୍ତି। ଗୁଳି ଚାଳନା ବେଳେ ପୁଲିସ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ପ୍ରେମଚନ୍ଦ ନାଗ ତାଙ୍କୁ ସହାୟତା କରୁଥିବା ସଂପର୍କିତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବାବେଳେ ସର୍ବସାଧାରଣ ସ୍ଥାନରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଘଟଣା ରାଜ୍ୟରେ ଚହଳ ପକାଇ ଦେଇଥିଲା।
ଅପରପକ୍ଷେ ଆଜି ସନ୍ଧ୍ୟାରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବଲାଙ୍ଗିର ଆସି ଘଟଣାର ଛାନଭିନ କରିଛନ୍ତି। ସଂପୃକ୍ତ ରିଭଲଭର ବିଧାୟକଙ୍କ ଲାଇସେନ୍ସ ପ୍ରାପ୍ତ ହୋଇଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ ପ୍ରକାଶ କରିଛି। ତେବେ ସର୍ବସାଧାରଣରେ ଗୁଳି ଫୁଟାଇବା ନେଇ ବିଧାୟକ ନବୀନ ଜୈନ ଓ ତାଙ୍କୁ ସହାୟତା କରିଥିବାରୁ ପିଏସଓ ପ୍ରେମଚନ୍ଦ ନାଗଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାସହ ଉଭୟଙ୍କୁ ନୋଟିସ ଜାରି କରାଯାଇଛି। ପିଏସଓ ପ୍ରେମଚନ୍ଦ ନାଗଙ୍କ ବିରୋଧରେ ପୁଲିସ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହିମାଂଶୁ ବେହେରା ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାମ ନବମୀ ଅବସରରେ ଟିଟିଲାଗଡ଼ରେ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନଙ୍କ ସହ ସହରର ଅନ୍ୟାନ୍ୟ ଜନପ୍ରତିନିଧି, ବରିଷ୍ଠ ନାଗରିକ ଓ ବିଭିନ୍ନ ହିନ୍ଦୁ ସଂଗଠନ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୁରୁଣା ବ୍ୟାଙ୍କ ଛକ ନିକଟରେ ବିଧାୟକ ଶ୍ରୀ ଜୈନ ଏକ ରିଭଲଭରରୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଶ୍ରୀ ନାଗ ବିଧାୟକଙ୍କୁ ବନ୍ଧୁକ କକ୍ କରି ଧରାଇ ଦେବା ସହ ଫାଙ୍କା ଗୁଳି ଚାଳନା କଲା ସମୟରେ ବିଧାୟକଙ୍କ ହାତକୁ ଧରି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଗୁଳି ଫୁଟାଇ ସାରି ବିଧାୟକ ବନ୍ଧୁକକୁ ନିଜ ଅଣ୍ଟାରେ ଖୋସି ରଖୁଥିବା ବେଳେ ପିଏସ୍ଓ ଓ ଆଉ ଜଣେ ବ୍ୟକ୍ତି ପଡ଼ିଥିବା ଗୁଳିର ଖୋକାକୁ ସଂଗ୍ରହ କରିଥିଲେ।
ବିଧାୟକ ପିଏସଓଙ୍କଠାରୁ ଉକ୍ତ ରିଭଲଭରକୁ ନେଇ ଚଳାଇଥିବା କୁହାଯାଉଥିବାବେଳେ ଏହାକୁ ବିଧାୟକ ଶ୍ରୀ ଜୈନ ଖଣ୍ଡନ କରିଛନ୍ତି। ଲୋକଙ୍କ ଉତ୍ସାହ ବୃଦ୍ଧି ପାଇଁ ସେ ଧରିଥିବା ଏକ ଖେଳଣା ବନ୍ଧୁକକୁ ଆକାଶ ମୁହାଁ କରି ଫୁଟାଇଥିବା ସେ ସଫେଇ ଦେଇଛନ୍ତି। ତେବେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ ଏହି ଘଟଣାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ବିଧାୟକ ଶ୍ରୀ ଜୈନଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ପ୍ରେମଚନ୍ଦ ନାଗଙ୍କୁ ଦାୟିତ୍ବରୁ ହଟାଇ ଦେବା ସହ ତଦନ୍ତ ଆରମ୍ଭ କରିଥିଲେ। ସନ୍ଧ୍ୟାରେ ଟିଟିଲାଗଡ଼ ଥାନାଧିକାରୀ ମନୋଜ ମୁଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଦଳ ବିଧାୟକ ଶ୍ରୀ ଜୈନଙ୍କ ପୁରୁଣା ବ୍ୟାଙ୍କ ଛକ ନିକଟ କାର୍ୟ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।




