
ଭୁବନେଶ୍ଵର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ନାରାବାଜି ଯୋଗୁ ଚାଲିପାରିଲା ନାହିଁ ଗୃହକାର୍ୟ୍ୟ। ଫଳରେ ୧୧ଟା ୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ପୋଡ଼ିୟମ ଆଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି। ଆଜି ବି ଗୃହରେ ଘଣ୍ଟ ଓ ବଂଶୀ ବଜାଇ କଂଗ୍ରେସ ପ୍ରତିବାଦ କରିଥିବାବେଳେ ବିଜେଡି ସଦସ୍ୟ ପ୍ଲାକାର୍ଡ଼ ଧରି ନାରାବାଜି ଓ ହୋହାଲ୍ଲା କରିଛନ୍ତି।
ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମାଡ଼ି ଆସିଲା କଂଗ୍ରେସ । କଂଗ୍ରେସ ବିଧାୟକମାନେ ଘଣ୍ଟ ମାଡ଼ ସହ ତୂରୀ ଫୁଙ୍କିଲେ । ଗିନି ମଧ୍ୟ ବଜାଇଲେ । ସ୍ଲୋଗାନ ଛାଡ଼ିଲେ, ନାରୀ ସୁରକ୍ଷା ଆମର ଦାବି । ଗୃହ କମିଟି ଗଠନ ଆମର ଦାବି । କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟରେ ଜୋରଦାର ସ୍ଲୋଗାନ ଛାଡ଼ିବା ସହ ଘଣ୍ଟମାଡ଼ କରୁଛନ୍ତି।
ସେହିଭଳି ବିଜେଡି ସଭ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସି ସ୍ଲୋଗାନ ଦେଲେ, ଜାତିଗତ ଜନଗଣନା ଆମର ଦାବି । ଓବିସିଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ଆମର ଦାବି। ନାରାବାଜି ସହ ହୋହାଲ୍ଲା କରିଥିଲେ ଉଭୟ ବିରୋଧୀ ଦଳ । ଏହି ସମୟରେ ବାଚସ୍ପତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ନିଜ ନିଜ ସିଟ୍ରେ ବସିବାକୁ ଅନୁରୋଧ କରିଥିଲେ । ହେଲେ ଉଭୟ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ସାଢ଼େ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।







