
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୁଲିସ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଘରୋଇ ବସ୍କୁ ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଅଭିଯୁକ୍ତମାନେ ମହିଳାଙ୍କୁ ଜବରଦସ୍ତି ଏକ ଘରୋଇ ସ୍ଲିପର ବସ୍ରେ ବସାଇ ଦେଇଥିଲେ । ଏହାପରେ ବସ୍ ଚାଲୁଥିବା ଅବସ୍ଥାରେ ଦୁଇ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ପିଶାଚମାନଙ୍କ ମନ ତରଳି ନଥିଲା । ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତମାନେ ତାଙ୍କୁ ବସରେ ବସାଇ ବିଭିନ୍ନ ଅଞ୍ଚଳରେ ବୁଲାଇଥିଲେ । ବସ୍ଟି ନାଙ୍ଗଲୋଇ ଅଞ୍ଚଳ ଦେଇ ଯାଉଥିବା ସମୟରେ ମହିଳା ଜଣକ ବଞ୍ଚିବା ପାଇଁ ଲଗାତାର ଚିତ୍କାର କରିଥିଲେ । ମାତ୍ର ଅଭିଯୁକ୍ତମାନେ ତାଙ୍କ କଥା ନଶୁଣି ମାଡ଼ ମାରିବା ସହ ବର୍ବରତା ପ୍ରଦର୍ଶନ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୀଡ଼ିତା ମହିଳା ଜଣକ କୌଣସି ପ୍ରକାରେ ପୁଲିସ ନିକଟରେ ପହଞ୍ଚି ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଡାକ୍ତରୀ ପରୀକ୍ଷାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି । ହସ୍ପିଟାଲରେ ରହିବାକୁ ମନା କଲେ ପୀଡ଼ିତା । ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି ପୀଡ଼ିତାଙ୍କ ଆର୍ଥିକ ଅବସ୍ଥା । ପୀଡ଼ିତା ପିତମପୁରା ବସ୍ତିରେ ରହୁଥିବା ବେଳେ ମଙ୍ଗୋଲପୁରୀର ଏକ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ସେ କହିଛନ୍ତି “ମୋ ସ୍ୱାମୀ ଅସୁସ୍ଥ, ତିନୋଟି ଛୋଟ ଝିଅ ଅଛନ୍ତି । ମୁଁ ଯଦି କାମକୁ ନଯିବି, ତେବେ ଘର ଚଳିବ କେମିତି ?” ଏହି କଥା କହି ପୀଡ଼ିତା ଜଣକ ହସ୍ପିଟାଲରେ ଭର୍ତ୍ତି ହେବାକୁ ମନା କରିଦେଇଛନ୍ତି । ପରିବାରର ବୋଝ କାନ୍ଧରେ ଥିବାରୁ ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ପଛରେ ପକାଇ ସେ ପୁଣି କାମକୁ ଫେରିବାକୁ ଚାହୁଁଛନ୍ତି । ପୁଲିସ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଦାବି କରିଛି ।


