
ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ନିର୍ବାଚନ ହେବା ନେଇ ତାରିଖ ଘୋଷଣା ପରେ ରାଜ୍ୟର ପ୍ରାୟ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି । ସେପଟେ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି ହୋଇଥିଲେ କର୍ତ୍ତୃପକ୍ଷ ଚାହିଁଲେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ । ନିର୍ବାଚନରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଓ ଏସ୍ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଜିଲ୍ଲା ମାନଙ୍କରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶୃଙ୍ଖଳା ବା ହିଂସା ପରିସ୍ଥିତି ଉପୁଜିଲେ ଲିଙ୍ଗଡ଼ୋ କମିଶନ ନିୟମାବଳୀ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ର ମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି । ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୋମିନେସନ୍ ଫାଇଲିଂ ପୂର୍ବରୁ ଏସ୍ପି ମାନେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରିଦର୍ଶନ କରିବେ । ନୋମିନେସନ୍ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହ ପୂର୍ବ ବର୍ଷ ମାନଙ୍କରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ରିପୋର୍ଟ ଅନୁଯାୟୀ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଚଳିତ ବର୍ଷ ପ୍ରସ୍ତୁତି କରିବାକୁ ଯୋଜନା ରହିଛି । ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।
ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଛନ୍ତି ।
ଆସନ୍ତା 9ରେ ନୋମିନେଶନ ଫାଇଲ ହେବାକୁ ଥିବାବେଳେ 15ରେ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହେବ । ଆସନ୍ତା 16 ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।








