
ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍ଶୀଘ୍ର ସାରା ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଆଲୋଚନା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ଏକ ଔପଚାରିକତା ନୁହେଁ; ଏହା ଆମ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର, ନିର୍ଭୀକ ମତପ୍ରକାଶ ଏବଂ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ । ଦୁର୍ଭାଗ୍ୟର ବିଷୟ, ୨୦୧୭ ମସିହା ପରଠାରୁ ଦୀର୍ଘ ବର୍ଷ ଧରି ପୂର୍ବ ସରକାର ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ । ନୂତନ ନେତୃତ୍ୱ ସୃଷ୍ଟିକୁ ଭୟ କରି କ୍ୟାମ୍ପସ ଗଣତନ୍ତ୍ରକୁ ଅଣଦେଖା କରିବା ସହ ଯେଉଁ ଛାତ୍ରସମାଜ ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ, ସେମାନଙ୍କୁ ନିଜ କ୍ୟାମ୍ପସର ପ୍ରତିନିଧି ବାଛିବାର ମୌଳିକ ଅଧିକାରରୁ ଦୂରେଇ ରଖିବା ଥିଲା ଓଡ଼ିଶାର ଯୁବଶକ୍ତି ସହ ସବୁଠାରୁ ବଡ଼ ପ୍ରତାରଣା ।
କିନ୍ତୁ ଛାତ୍ର ସଂସଦ ନିର୍ବାଚନ କରେଇବୁ ବୋଲି ଆମେ ଆପଣମାନଙ୍କୁ କଥା ଦେଇଥିଲୁ । ନିର୍ବାଚନ ସମୟରେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଓଡ଼ିଶାର ଛାତ୍ରସମାଜ ଉପରେ ଆମର ପୂର୍ଣ୍ଣ ଆସ୍ଥା ଅଛି ଏବଂ କଲେଜ-ବିଶ୍ୱବିଦ୍ୟାଳୟରେ ଗଣତାନ୍ତ୍ରିକ ବାତାବରଣ ନିଶ୍ଚୟ ଫେରିବ । ଆଜି ଆମେ ଯାହା କଥା ଦେଇଥିଲୁ, ତାହା କାର୍ୟ୍ୟରେ ପ୍ରମାଣିତ କରି ଦେଖାଇଛୁ । ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ।
ଆମ ଯୁବପିଢ଼ି ହିଁ ହେଉଛନ୍ତି ସମୃଦ୍ଧ ତଥା ବିକଶିତ ଓଡ଼ିଶାର କର୍ଣ୍ଣଧାର । ଆପଣମାନଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ନେତୃତ୍ୱ ଦକ୍ଷତାକୁ ଏକ ନୂଆ ଦିଗ ଦେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଶାନ୍ତି, ଶୃଙ୍ଖଳା, ଶାଳୀନତା ଓ ଗଣତାନ୍ତ୍ରିକ ଉତ୍ସାହର ସହ ଏହି ପ୍ରକ୍ରିୟାରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ ଏବଂ ନିଜ ଶିକ୍ଷାନୁଷ୍ଠାନ ତଥା ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହୁଅନ୍ତୁ ।”








