
ଦେବଗଡ଼: ଜାତୀୟ ରାଜପଥର ଅଧିକାର ସୀମା ମଧ୍ୟରେ ଥିବା ଅନଧିକୃତ ଦଖଲ ହଟାଇବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ଏବଂ ଏନଏଚଆଇ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୪୯ନମ୍ବର ଜାତୀୟ ରାଜପଥରେ ଏନଏଚଆଇ ଜମି ମଧ୍ୟରେ ଥିବା ଅନଧିକୃତ ଦୋକାନ,ଅସ୍ଥାୟୀ ଓ ସ୍ଥାୟୀ ଘର/ସେଡ୍,ବିଭିନ୍ନ ପ୍ରକାରର ଅନଧିକୃତ ନିର୍ମାଣ ଏବଂ ଅନ୍ୟାନ୍ୟ ଦଖଲ ସମ୍ପର୍କରେ ସମ୍ପୃକ୍ତ ଦଖଲକାରୀମାନଙ୍କୁ ପୂର୍ବରୁ ବ୍ୟକ୍ତିଗତ ଭାବେ ନୋଟିସ୍ ପ୍ରଦାନ କରାଯାଇଥିଲା।ସେମାନଙ୍କୁ ନିଜ ଇଚ୍ଛାରେ ଅନଧିକୃତ ଦଖଲ,ଦୋକାନ, ସେଡ୍ ଓ ସ୍ଥାୟୀ/ଅସ୍ଥାୟୀ ନିର୍ମାଣଗୁଡ଼ିକ ହଟାଇବା ପାଇଁ ସମୟ ପ୍ରଦାନ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଧିକୃତ ଦଖଲ ହଟାଇବା ପାଇଁ ଆବଶ୍ୟକ ସୁଯୋଗ ପ୍ରଦାନ କରାଯିବା ପରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ଆଜି ବାରକୋଟ ବ୍ଲକର ପଞ୍ଚମହଲା ଗ୍ରାମ ଠାରୁ ବିଜୟନଗର ଗ୍ରାମ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏଥିରେ ବାରକୋଟ ଅତିରିକ୍ତ ତହସିଲଦାର ଶିବବ୍ରତ ନାୟକ, ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି, ଏନଏଚଆଇର ସୁବାଶିଷ ସାହୁ, ସୁଭେନ୍ଦୁ ଦାସ,ବିଞ୍ଜବାହାଳ ଠାରୁ ତିଲେଇବଣି ହାଇୱେ ପ୍ରାଇଭେଟ ଲିମିଟେଡର ପ୍ରତିନିଧି ନାରାୟଣ ଚନ୍ଦ୍ର ପାତ୍ର, ଦୀପକ ରଞ୍ଜନ ତରାଇ, ଗୌତମ ପାତ୍ର ଉପସ୍ଥିତ ଥିଲେ।







