
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ସେବା ମନୋଭାବ, ସାମାଜିକ ଦାୟିତ୍ୱ ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବା ସହ ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧ ଜାଗ୍ରତ କରିବା ନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସମାଜର ଉନ୍ନତି କେବଳ ସରକାର କିମ୍ବା ନିର୍ଦ୍ଦିଷ୍ଟ ସଂସ୍ଥାର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସହଭାଗିତା ଦ୍ୱାରା ଏହା ସମ୍ଭବ ବୋଲି ସେ କହିଥିଲେ। ବିଶେଷକରି ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ସାମାଜିକ ସେବା ପ୍ରତି ଆଗ୍ରହୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବାକୁ ସେ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ନାୟକ ଯୋଗଦେଇ ସେବା କାର୍ଯ୍ୟ ମାଧ୍ୟମରେ ସମାଜର ଅବହେଳିତ ଓ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ଉପରେ ମତ ରଖିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାଜପା ରାଇକିଆ ମଣ୍ଡଳ ସଭାପତି ତଥା କାର୍ଯ୍ୟକ୍ରମ କୋ-ଅର୍ଡିନେଟର ସନ୍ତୋଷ କୁମାର ପାତ୍ର ସେବା ସଂକଳ୍ପ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ.ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବେଣୁପାଣି ମହାପାତ୍ର ଯୋଗଦେଇ ସେବାର ମାନସିକତା, ମାନବିକତା ଓ ସାମାଜିକ ଦାୟିତ୍ୱ ଉପରେ ବିସ୍ତୃତ ଭାବେ ମତ ରଖିଥିଲେ। ଛାତ୍ରଜୀବନରୁ ହିଁ ସମାଜ ପ୍ରତି ଦାୟିତ୍ୱବୋଧ ଓ ସେବା ମନୋଭାବ ଗଢ଼ି ଉଠିଲେ ଭବିଷ୍ୟତରେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜକୁ ପ୍ରତିଷ୍ଠିତ କରିହେବ ବୋଲି ସେ କହିଥିଲେ। ମାନବ ସେବା ହିଁ ପ୍ରକୃତ ସେବା ବୋଲି ଦର୍ଶାଇ ସମାଜର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀମାନେ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିବାକୁ ସେ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପିକା ଲିଜାଲିନ ଭୋଇ ସଂଯୋଜିକା ଭାବେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅଧ୍ୟାପିକା ମଞ୍ଜୁଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ , ଅଧ୍ୟାପକ ଓ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।
ରିପୋର୍ଟର: ଦୁତି କୃଷ୍ଣ ପଣ୍ଡା







