
ଦେବଗଡ଼:ଟେଣ୍ଡର ନିୟମ ଉଲ୍ଲଂଘନ ଏବଂ ଅସ୍ବାଭାବିକ କମ୍ ଦର ଦାଖଲକାରୀ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ୍ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ସମଲ ସ୍ଥିତ ବ୍ରାହ୍ମଣୀ ବେସିନ୍ ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି ସ୍ମାରକପତ୍ରର ନକଲ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିକଟକୁ ପଠାଯାଇଛି। ସୂଚନା ଅନୁଯାୟୀ,ଟେଣ୍ଡର କଲ୍ ନୋଟିସ ନଂ ଏ.ସି.ଇ.ଏ.ଆଇ.ସି.-୦୧/୨୦୨୬-୨୭ ରେ ହୋଇଥିବା ଗୁରୁତର ଅନିୟମିତତାର ବିରୋଧ କରିଛି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ୍।ଦେବଗଡ଼ (ଗୋହିରା)ଜଳସେଚନ ଡିଭିଜନ ଅଧୀନରେ ଥିବା ଏହି ପ୍ରକଳ୍ପଗୁଡ଼ିକର ସଫଳ ବିଡରମାନେ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଶେଷ ତାରିଖ ୭ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସେମାନଙ୍କର ବାଧ୍ୟତାମୂଳକ ସୁରକ୍ଷା ଜମା ଇଏମଡି,ଆଇଏସଡି ଓଏପିଏସ୍ ଦାଖଲ କରିବାରେ ବିଫଳ ହୋଇଛନ୍ତି।ବର୍ତ୍ତମାନ ଏହି ବିଡରମାନେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବେଆଇନ ଓ ଅସାଧୁ ଉପାୟରେ ବିଳମ୍ବରେ ଦସ୍ତାବିଜ ଦାଖଲ କରିବାକୁ ଅପଚେଷ୍ଟା କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।ଟେଣ୍ଡରର ସମୟସୀମା କେବଳ ଏକ ଆନୁଷ୍ଠାନିକ ପ୍ରକ୍ରିୟା ନୁହେଁ,ଏହା ସରକାରଙ୍କ ଆର୍ଥିକ ସୁରକ୍ଷା ଓ କାର୍ଯ୍ୟର ସମୟାନୁବର୍ତ୍ତୀ ଆରମ୍ଭ ସହ ଜଡ଼ିତ। ଅତ୍ୟଧିକ କମ୍ ଦର ଦାଖଲ କରି କାର୍ଯ୍ୟ ହାସଲ କରିବା ଏବଂ ପରେ ସର୍ତ୍ତ ପୂରଣରେ ବିଳମ୍ବ କରିବା ଦ୍ବାରା ପ୍ରକଳ୍ପଗୁଡ଼ିକର ଗୁଣବତ୍ତା,ପରିମାଣ ଓ ସ୍ଥାୟୀତ୍ଵ ଗମ୍ଭୀର ଭାବେ ପ୍ରଭାବିତ ହେବ।ଏହା ସିଧାସଳଖ ଭାବେ ଦେବଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଏବଂ ଜନସ୍ବାର୍ଥକୁ କ୍ଷତି ପହଞ୍ଚାଉଛି ବୋଲି ସଂଘର ସଭାପତି ଇଂ ସୁଜିତ ପ୍ରଧାନ ସୂଚନା ଦେଇଛନ୍ତି।ଏହାସହିତ ଖିଲାପି ବିଡରମାନଙ୍କ ଦସ୍ତାବିଜ ତୁରନ୍ତ ଜବତ,ପ୍ରଚଳିତ ନିୟମ ଅନୁସାରେ ସମ୍ପୃକ୍ତ ବିଡରମାନଙ୍କୁ ସର୍ବନିମ୍ନ ୩ (ତିନି) ବର୍ଷ ପାଇଁ ଇ-ପ୍ରକ୍ୟୁମେଣ୍ଟ ପୋର୍ଟାଲରୁ ବ୍ଲାକଲିଷ୍ଟ କରିବା ସହ ସର୍ବସାଧାରଣ କାର୍ଯ୍ୟର ଗୁଣବତ୍ତା ଓ ସ୍ଥାୟୀତ୍ଵ ସୁନିଶ୍ଚିତ କରିବା ପାଇଁ ଉଚିତ ସମୀକ୍ଷା କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।








