
କଟକ : ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ଜାମିନ ଆବେଦନ ଖାରଜ ହୋଇଯିବା ଫଳରେ ମନୀଷ ଅଗ୍ରୱାଲଙ୍କ ଗିରଫଦାରୀ ଆଶଙ୍କା ବଢିଛି। ମନୀଷ ଅଗ୍ରୱାଲଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁଗୋପାଳ ଏବଂ ବ୍ୟକ୍ତିଗତ ସହାୟକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କର ମଧ୍ୟ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀ (ଷ୍ଟେନୋଗ୍ରାଫର) ମଧ୍ୟ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟକୁ ଆସିଥିଲେ। ତାଙ୍କୁ ୬୫ ବର୍ଷ ହୋଇଥିଲାବେଳେ ସେ କ୍ୟାନସରରେ ଆକ୍ରାନ୍ତ ଏବଂ ତାଙ୍କ ପତ୍ନୀ ମାନସିକ ରୋଗରେ ପୀଡ଼ିତ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଆବେଦନକାରୀଙ୍କୁ ତିନି ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମ ସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ୟ୍ୟ କରିବା ସହ ତାଙ୍କୁ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଭି. ନରସିଂହ ଶୁକ୍ରବାର ଆଗୁଆ ଜାମିନ ମାମଲାର ରାୟ ପ୍ରକାଶ କରି ଏହି ନିର୍ଦେଶ ଦେଇଛନ୍ତି । ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ୟ୍ୟ କରୁଥିଲେ। ୨୦୧୯ ମେ’ ୨୭ରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏ ନେଇ ଥାନାରେ ପ୍ରଥମେ ମାମଲା ରୁଜୁ ହୋଇଥିଲା। ଦୁଇ ଦିନ ପରେ ଦେବ ନାରାୟଣ ପଣ୍ଡାଙ୍କ ଶବ ସତୀଗୁଡ଼ା ଡ୍ୟାମ୍ ନିକଟରୁ ମିଳିଥିଲା।








