
କାଠମାଣ୍ଡୁ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଯେଉଁ ତୈଳ ସମସ୍ୟା ଉପୁଜିଛି, ସେହି ପରିପ୍ରେକ୍ଷୀରେ ନେପାଳ ସରକାର ସପ୍ତାହକୁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ପ୍ରତ୍ୟେକ ଶନିବାର ଓ ରବିବାର ସରକାରୀ କାର୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବ। ପୂର୍ବରୁ କେବଳ ଶନିବାରକୁ ଛୁଟି ଘୋଷଣା କରାଯାଉଥିଲା। ଦେଶରେ ପେଟ୍ରୋଲ, ଡିଜେଲର ଅଭାବ ପରିଲକ୍ଷିତ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ କାର୍ୟ୍ୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଅଫିସ ଖୋଲା ରହିବ। ଆସନ୍ତାକାଲି ଅର୍ଥାତ୍ ସୋମବାରଠାରୁ ନୂଆ ନିୟମ କାର୍ୟ୍ୟକାରୀ କରାଯିବ ବୋଲି ସରକାରୀ ମୁଖପାତ୍ର ସସ୍ମିତା ପୋଖରେଲ ଜଣାଇଛନ୍ତି। ପୂର୍ବରୁ ଏହି ସମୟ ନିର୍ଘଣ୍ଟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଧାର୍ୟ୍ୟ ହୋଇଥିଲା। ଅପରପକ୍ଷରେ ବିମାନ ଇନ୍ଧନ ବୃଦ୍ଧି ପାଇଥିବାରୁ ନେପାଳ ଏୟାରଲାଇନ୍ସ ପକ୍ଷରୁ ବିମାନ ଭଡାକୁ ମଧ୍ୟ ବୃଦ୍ଧି କରାଯାଇଛି।




