
ଭୁବନେଶ୍ବର: ବାଜିଲା ନୂଆପଡା ଉପନିର୍ବାଚନ ବିଗୁଲ । ଆସନ୍ତା ନଭେମ୍ବର ୧୧ରେ ମତଦାନ ଅନୁଷ୍ଠିତ ହେବ । ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ । ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ ।
ତେଣୁ ନିର୍ବାଚନ କମିଶନ ଏହି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୧୩ରେ ପ୍ରକାଶ ପାଇବ ନୂଆପଡା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୨ରେ ହେବ ନାମାଙ୍କନ ଯାଞ୍ଚ । ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୧୧ରେ ନୂଆପଡାରେ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର ୧୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।୧୯୫୧ ମସିହାରେ ଗଠନ ହୋଇଥିଲା ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ । ୨୦୨୪ ତଥ୍ୟ ଅନୁଯାୟୀ, ନୂଆପଡା ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖ୍ୟା ୧୨୨୩୯୧, ପୁରୁଷ ଭୋଟରଙ୍କ ସଂଖ୍ୟା ୧୧୯୫୯୭, ଥାର୍ଡ ଜେଣ୍ଡର ଭୋଟରଙ୍କ ସଂଖ୍ୟା ୨୨ ଖଣ୍ଡ ରହିଛି । ସମୁଦାୟ ୨୪୨୦୧୦ ଭୋଟର ନିର୍ବାଚନ ମଣ୍ଡଳୀରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬୪୨୫ ଯୁବ ଭୋଟର ।୨୦୨୪ରେ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି । ଗତଥର ସାଧାରଣ ନିର୍ବାଚନରେ ୬୧୮୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ।







