
କେନ୍ଦ୍ରାପଡା: ଆଉ ନାହାନ୍ତି କେନ୍ଦ୍ରାପଡାର କମଳା ମାଉସୀ । ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା କମଳା ମହାରଣାଙ୍କର ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଗତ ଗୁରୁବାର ଦିନ ଅସାବଧାନତା ବଶତଃ ଘରେ ପଡି ଯାଇଥିଲେ କମଳା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ପଠାଇଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରୁ ଭେଣ୍ଟିଲେଟରରେ ଥିଲେ। ଗତକାଲି ରାତି ୧୦ ଘଟିକାରେ ଡାକ୍ତର କମଳା ମହାରଣାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଖଇରାବାଦ ଗାଁରେ ପହଞ୍ଚିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।








