
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବୋଲି ବିରୋଧୀ ଦଳମାନେ କହିଛନ୍ତି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି । ଏନ୍ଇପି-୨୦୨୦ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏପରି କୁହାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଦଳ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଏହା ଜାତୀୟ ଲଜ୍ଜା । ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ହୋଇଛି । ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଏହା କେବଳ ଛୋଟ କିମ୍ବା ପରୀକ୍ଷାମୂଳକ ତ୍ରୁଟି ନୁହେଁ, ଏହା ପିଲାଙ୍କୁ ସେମାନଙ୍କ ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ । ଗଣଶିକ୍ଷା ବିଭାଗ ନିଜର ତ୍ରୁଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଦାୟିତ୍ୱହୀନତାର ପରିଚୟ ପ୍ରଦାନ କରୁଛି । ତେଣୁ ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହର କରାଯାଉ । ପ୍ରସ୍ତୁତି, ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ଆଗାମୀ ଶିକ୍ଷା ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ବିଜେଡି ଦାବି କରିଛି ।


