
ଭୁବନେଶ୍ୱର: ପିଲାଙ୍କ ପାଠ୍ୟ ପୁସ୍ତକରେ ମାଳମାଳ ତ୍ରୁଟି ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି । କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥାମାନେ ଦାୟୀ ତାହାର ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବ କମିଟି । ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ। ସୂଚନା ଅନୁଯାୟୀ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ମୁଖ୍ୟତଃ ତିନୋଟି ସଂସ୍ଥାର କାର୍ୟ୍ୟକଳାପକୁ ଅନୁଧ୍ୟାନ କରିବ । ଫୋକସ୍ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଯେଉଁଠି ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା । ପ୍ରତି ପୁସ୍ତକ ପାଇଁ ଗଠିତ ସମ୍ପାଦକମଣ୍ଡଳୀ, ସମୀକ୍ଷକମଣ୍ଡଳୀ, ସଂଯୋଜକ ଓ ମୁଖ୍ୟ ସଂଯୋଜକକୁ କମିଟି ପକ୍ଷରୁ ପଚରାଉଚରା କରାଯିବ ।
ଆବଶ୍ୟକ ପଡ଼ିଲେ ବିଷୟ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ତ୍ରୁଟି ସମ୍ପର୍କରେ ପ୍ରଶ୍ନ କରାଯାଇପାରେ । ଯେଉଁଥିରେ ଓଡ଼ିଶାର ନାମକରା ଶିକ୍ଷାବିତ୍, ଶିକ୍ଷା ବିଶେଷଜ୍ଞମାନେ ରହିଛନ୍ତି । ଦ୍ବିତୀୟ ସଂସ୍ଥା ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଯେଉଁଠାରେ ନୂତନ ବହିଗୁଡ଼ିକର ଡିଟିପି ଓ ଡିଜାଇନ୍ କରାଯାଇଛି । ଡିଟିପି ଅପରେଟର୍ମାନେ ଠିକ୍ ଭାବେ କାର୍ୟ୍ୟ ତୁଲାଇଛନ୍ତି କି ନାହିଁ? ସଂଯୋଜକମାନେ ସେମାନଙ୍କ ସହ ଆଲୋଚନା କରିଥିଲେ କି ନାହିଁ? ପୁସ୍ତକ ଡିଜାଇନ୍ ସମୟରେ ଏନ୍ସିଇଆର୍ଟି ବହିରେ ଥିବା ଛବି କେଉଁଭଳି ଭାବେ ଓଡ଼ିଆ ପୁସ୍ତକରେ ରହିଗଲା ସେନେଇ ଅନୁଧ୍ୟାନ କରିବେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବା । ଓସେପା ମାଧ୍ୟମରେ ଯେହେତୁ ଅର୍ଥ ଆସୁଛି, ଚୂଡ଼ାନ୍ତ ନିରକ୍ଷଣ କରିବା ଦାୟିତ୍ଵ ମଧ୍ୟ ତାହାର ରହିଛି। ତେଣୁ ତଦନ୍ତ କମିଟି ଓସେପା ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିପାରେ ।


