
ଭୁବନେଶ୍ୱର,; ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର । ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି । ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ ଧାରା ୯ (୧) (କ) ଅନୁଯାୟୀ ନିଷ୍ପତ୍ତି ହୋଇଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବା ସହ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବଢ଼ିବ। ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଜୁନ୍ ୧, ୨୦୨୦ ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କରୋନା କାଳରେ ଚାକିରି ହରାଇଥିବା ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କୁ ଆତ୍ମନିର୍ଭର କରିବା ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ଏହି ଯୋଜନା ଭାରତର ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସହିତ ଆପଣ ନିଜ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟ ଆରମ୍ଭ କରି ଆତ୍ମନିର୍ଭରଶୀଳ ହୋଇପାରିବେ । ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିବାର ବ୍ୟବସ୍ଥା ରହିଛି । ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟ ଆରମ୍ଭ କିମ୍ବା ବିସ୍ତାର କରିବା ପାଇଁ ଆପଣ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ୍ ପାଇପାରିବେ । ଯଦି ଲୋନକୁ ଠିକ୍ ସମୟରେ ପରିଶୋଧ କରନ୍ତି, ତେବେ ୭% ପର୍ଯ୍ୟନ୍ତ ସୁଧ ସବସିଡି ମିଳିବ ।


