
ଭୁବନେଶ୍ୱର: ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର କରିଛନ୍ତି | ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ ଭାବେ ପୁରୀ ରେଳ ଷ୍ଟେସନର ପୁନର୍ବିକାଶର କାର୍ଯ୍ୟ ଅନ୍ତର୍ଭୁକ୍ତ |
ନିରୀକ୍ଷଣ ସମୟରେ, ଶ୍ରୀ ବୈଷ୍ଣବ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ବିସ୍ତୃତ ସମୀକ୍ଷା କଲେ ଏବଂ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଓ ବାକି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି | ଅମୃତ ଷ୍ଟେସନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଗୁଡିକ ଅଗ୍ରଗତି କରୁଛି ବୋଲି ରେଳମନ୍ତ୍ରୀ କହିଛନ୍ତି | ପୁରୀ କୋଣାର୍କ ରେଳମାର୍ଗ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଗ୍ରଗତିରେ ଚାଲୁରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି |
ରେଳମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ପୁନର୍ବିକାଶ ହେବା ପରେ ପୁରୀ ରେଳ ଷ୍ଟେସନ ଐତିହ୍ୟ ସୌନ୍ଦର୍ଯ୍ୟ ଏବଂ ଆଧୁନିକ ଯାତ୍ରୀ ସୁବିଧାର ମିଶ୍ରଣ ସହିତ ଏକ ବିଶ୍ୱସ୍ତରୀୟ ସୁବିଧା ଭାବରେ ଦଣ୍ଡାୟମାନ ହେବ | ଷ୍ଟେସନର ପୁନର୍ବିକାଶ 2021-22 ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ବେଳେ ସମନ୍ୱିତ ଷ୍ଟେସନ ପୁନଃବିକାଶ ଯୋଜନା ଅଧୀନରେକାର୍ଯ୍ୟ କରାଯାଉଅଛି ଯାହାର ପ୍ରକଳ୍ପ ମୂଲ୍ୟ ₹177.41 କୋଟି |
ଅମୃତ ଷ୍ଟେସନ ଯୋଜନା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏକ ପରିକଳ୍ପନା ଯେଉଁଥିରେ ଐତିହ୍ୟ, ସଂସ୍କୃତି ଓ ବିକାଶ ସ୍ଥାନପାଇଛି | ପୁରୀ ଷ୍ଟେସନ ବିକାଶ କ୍ଷେତ୍ରରେ ମଧ୍ୟ ଏଠିକାର ଐତିହ୍ୟ, ସଂସ୍କୃତି ସ୍ଥାନ ପାଇବ “ବିରାସତ ଭି ବିକାଶ ଭି” |
ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଏବଂ ଖୋର୍ଦ୍ଧା ରୋଡର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱାଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଏହି ନିରୀକ୍ଷଣରେ ଯୋଗ ଦେଇଥିଲେ |








