
ଭୁବନେଶ୍ୱର: ଶନିବାର ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ପାସ ହାର ୫୬.୨୩ ପ୍ରତିଶତ ରହିଛି । ମୋଟ ୩୪୫୭ଜଣ ଫର୍ମ ଫିଲଅପ କରିଥିବାବେଳେ ୧୯୪୪ ଜଣ ପାସ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏ-୨ ଗ୍ରେଡ୍ରେ ୩, ବି-୧ ଗ୍ରେଡ୍ରେ ୧୪, ବି-୨ ଗ୍ରେଡ୍ରେ ୩୯, ସି ଗ୍ରେଡ୍ରେ ୧୧୩, ଡି ଗ୍ରେଡ୍ରେ ୨୭୬, ଇ ଗ୍ରେଡ୍ରେ ୫୨୩ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ସେହିପରି ମୋବାଇଲରେ ମେସେଜ ଜରିଆରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୩୦କୁ ପଠାଇ ପରୀକ୍ଷାର୍ଥୀ ମାନେ ନିଜ ରେଜଲ୍ଟ ଜାଣିପାରିବେ । ଏହା ବ୍ୟତୀତ www.bseodisha.ac.inରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷାର୍ଥୀ ମାନେ ଚଳିତ ବର୍ଷ ସାମ୍ସ ଓ୍ବେବସାଇଟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି । ସେହିପରି ଷ୍ଟେଟ ଓପନଡ ହାଇସ୍କୁଲ ସାର୍ଟିଫିକେଟରେ ୯୭୩ଜଣ ପିଲା ପାସ କରିଥିବାବେଳେ ପାସ ହାର ୫୫.୨୬ ପ୍ରତିଶତ ରହିଛି ।
ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।




