
ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ ଏସ୍ପି ଅଫିସରେ ପହଞ୍ଚିଛନ୍ତି।
ପ୍ରଣବ କହିଛନ୍ତି, ପୁଲିସ ଉପସ୍ଥିତିରେ ଆମ ଉପରେ ଆକ୍ରମଣ ହୋଇଛି। ବିଜେପି କର୍ମୀ ଆମ ଉପରେ ଆକ୍ରମଣ କରିଛନ୍ତି। ଆମେ ପଦଯାତ୍ରା କରି ଲୋକଙ୍କୁ ପାଖକୁ ଯାଇଥିଲା ବେଳେ ଆକ୍ରମଣ କରାଯାଇଛି। ଜିଲ୍ଲା ପୁଲିସ ସାହସରେ ସେମାନେ ଆକ୍ରମଣ କରିଛନ୍ତି।
ବିଜେଡିର ଅଭିଯୋଗ ଅନୁଯାୟୀ, ୩୦ରୁ ୪୦ ଜଣ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ସହିତ ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେମାନେ ପ୍ରଣବ ଓ ତାଙ୍କ ସମର୍ଥକମାନଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗ ଉପରେ ପୁଲିସ କିମ୍ବା ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନି।







