ପ୍ରବାସୀ ଭାରତୀୟ ଦେଶର ସର୍ବୋତ୍ତମ ପ୍ରତିନିଧି : ରାଷ୍ଟ୍ରପତି

ଭୁବନେଶ୍ବର : ପ୍ରବାସୀ ଭାରତୀୟମାନେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ କୌଶଳକୁ ନିଜ ସହିତ ନେଇ ନାହାନ୍ତି, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ସାଜିଥିବା ମୂଲ୍ୟବୋଧ ଏବଂ ନୈତିକତାକୁ ମଧ୍ୟ ସାଥୀରେ ବହନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା, ଭେଷଜ, କଳା କିମ୍ବା ଉଦ୍ୟମିତା କ୍ଷେତ୍ରରେ ପ୍ରବାସୀ ଭାରତୀୟ ଏପରି ଏକ ପ୍ରଭାବ ସୃଷ୍ଟି କରିଛନ୍ତି, ଯାହାକୁ ବିଶ୍ବ ସ୍ୱୀକାର ଏବଂ ସମ୍ମାନ କରିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଯାପନୀ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କହିଥିଲେ ଯେ, ପ୍ରବାସୀ ଭାରତୀୟ ଦିବସ ଏକ କାର୍ୟ୍ୟକ୍ରମଠାରୁ ଅଧିକ ବ୍ୟାପକ ହୋଇଯାଇଛି। ଏହା ଏପରି ଏକ ମଞ୍ଚ ଯେଉଁଠାରେ ଭିନ୍ନଭିନ୍ନ ବିଚାର ସମ୍ମିଳିତ ହେବା ସହ ସହଯୋଗ ସୃଷ୍ଟି ହୋଇଥାଏ। ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇଥାଏ। ୨୦୪୭ ମସିହା ସୁଦ୍ଧା ଆମ ଦେଶ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ଏହା ଏକ ଜାତୀୟ ଅଭିଯାନ; ଯେଉଁଥିରେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ଭାରତୀୟଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ପ୍ରବାସୀ ଭାରତୀୟ ଏହି ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କର ବିଶ୍ବବ୍ୟାପୀ ଉପସ୍ଥିତି ସେମାନଙ୍କୁ ଏକ ଅନନ୍ୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ସେମାନଙ୍କର ସଫଳତା ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ସାକାର କରିବାରେ ସହାୟକ ହୋଇଥାଏ।
ଭାରତର କାଳଜୟୀ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ, ଏହି ପରିକଳ୍ପନା ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ ବରଂ ବିଶ୍ବର କଲ୍ୟାଣ ଦିଗରେ ମଧ୍ୟ ସହାୟକ ହେବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ ଯାହା ସାମାଜିକ ନ୍ୟାୟ ଓ ପରିବେଶ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ। ଏହାସହ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ରାଷ୍ଟ୍ରପତି କହିଥିଲେ ଯେ, ଯେତେବେଳେ ଆମେ ଆମ ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଛୁ, ସେତେବେଳେ ଆମେ ମଧ୍ୟ ଆଶା ଓ ସଂକଳ୍ପର ସହିତ ଭବିଷ୍ୟତକୁ ଅପେକ୍ଷା କରିବା ଉଚିତ। ମିଳିତ ଭାବେ ଆମେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା। ଯାହା ବିଶ୍ବ ମଞ୍ଚରେ ଶୀର୍ଷରେ ରହିବ ଏବଂ ବିଶ୍ବ ପାଇଁ ଆଶାର ଆଲୋକବର୍ତ୍ତିକା ହେବ।
ଏହି ଅବସରରେ ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସେମାନଙ୍କ ସଫଳତାର କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ସମଗ୍ର ବିଶ୍ବରେ ଲକ୍ଷଲକ୍ଷ ଲୋକଙ୍କୁ ଉତ୍କର୍ଷତା ଲାଗି ପ୍ରୟାସ କରିବା ନିମନ୍ତେ ପ୍ରେରଣା ମଧ୍ୟ ଦେଇଥାଏ। ସେ ତ୍ରିନିଦାଦ ଏବଂ ଟବାଗୋ ଗଣରାଜ୍ୟର ରାଷ୍ଟ୍ରପତି କ୍ରିଷ୍ଟିନ କଙ୍ଗାଲୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଷ୍ଟ୍ରପତି ୨୭ ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ।
ଉଦ୍‌ଯାପନୀ କାର୍ୟ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଭୁବନେଶ୍ବର ପାଇଁ ଐତିହାସିକ କାର୍ୟ୍ୟକ୍ରମ ହୋଇଛି। ବିଶ୍ବକୁ ଓଡ଼ିଶା ଏବେ ଅଧିକ ଉନ୍ମୁକ୍ତ ହୋଇଛି। ଓଡ଼ିଶାରେ ଥିବା ଅସୀମିତ ସୁଯୋଗକୁ ସାରା ବିଶ୍ବ ଦେଖୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ଅସ୍ମିତା ଏବେ ନୂତନ ଶିଖର ଛୁଇଁଛି। ପ୍ରବାସୀମାନେ ଓଡ଼ିଶା ଆସିବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ବିଶ୍ବରେ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ନିବେଶ ଏବଂ ପ୍ରକଳ୍ପ ପାଇଁ ଆଗ୍ରହୀ ପ୍ରବାସୀଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ଏଥିପାଇଁ ନୋଡାଲ ମନ୍ତ୍ରୀ ନିଯୁକ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷ ଏବଂ ‘ଭାରତ କୋ ଜାନିୟେ’ କୁଇଜ୍‌ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ରାଷ୍ଟ୍ରପତି ଆମ ଓଡ଼ିଶା ଝିଅ। ତାଙ୍କର ଶାନ୍ତ, ସରଳ ସ୍ବଭାବ, ଜ୍ଞାନର ଗଭୀରତା ଓ ଦାର୍ଶନିକ ଚିନ୍ତାଧାରାରେ ସେ ସାରା ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସିଛନ୍ତି। ତାଙ୍କ ପାଇଁ ଆଜି ଦେଶର ମା’ ଓ ଭଉଣୀମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଓ ଶକ୍ତି ମିଳିଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କରଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ପ୍ରାଚୀନ କାଳରୁ ଓଡ଼ିଶା ଜଗତୀକରଣର କେନ୍ଦ୍ରବିନ୍ଦୁ ପାଲଟିଛି। ହଜାର ହଜାର ବର୍ଷ ଧରି ଓଡ଼ିଶାରୁ ପ୍ରବାସୀ ଓଡ଼ିଆ ଶ୍ରୀଲଙ୍କା ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ ବ୍ୟବସାୟ କରିଥିଲେ। ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଏବେ ବି ବିଶ୍ବରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ପୂର୍ବୋଦୟ ପାଇଁ ଆହ୍ୱାନ ଦେଇଛନ୍ତି। ଭାରତ ସରକାରଙ୍କ ‘ଲୁକ୍ ଇଷ୍ଟ- ଆକ୍ଟ ଇଷ୍ଟ’ ନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି। ଓଡ଼ିଶାରେ ସ୍ୱାଭିମାନ ଓ ଗଣତନ୍ତ୍ରର ମୂଳ ଗଭୀରତା ରହିଛି। ଏହା ହେଉଛି ବୁଦ୍ଧଙ୍କ ଭୂମି, ଶାନ୍ତିର ଭୂମି। ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ଓଡ଼ିଶାର ବିକାଶ ହେଲେ ହିଁ ଭାରତର ବିକାଶ ହେବ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ, ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଆମେ ଅନେକ କିଛି ଜାଣିବାକୁ ପାଇଲୁ। ବିଶ୍ବ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ଦିଗରେ କାର୍ୟ୍ୟ କରିବା ଦରକାର।
କାର୍ୟ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ସ୍ବାଗତ ଭାଷଣ ଦେଇ କହିଥିଲେ ଯେ, ଭାରତ ଏବେ ୫ ବୃହତ୍‌ ଅର୍ଥବ୍ୟବସ୍ଥା ହୋଇଛି। ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଉଭୟ ଭାରତ ଏବଂ ଭାରତ ବାହାରେ ରହିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି