
ଭୁବନେଶ୍ୱର: ଭୀଷଣ ଗରମ, ପ୍ରବଳ ଗୁଳୁଗୁଳି । ଦୁଇ ସପ୍ତାହ ହେବ ଏହି ଯନ୍ତ୍ରଣାରେ ଘାଣ୍ଟି ଚକଟି ହେଉଛନ୍ତି ସାରା ରାଜ୍ୟବାସୀ । ବୁଧବାର ବି ଛଟପଟ ହେଉଥିଲେ ସମସ୍ତେ । ସନ୍ଧ୍ୟାରେ ବଳ ଦେଖାଇଲା କାଳବୈଶାଖୀ । ନିର୍ଧୁମ ବର୍ଷିଲା, ପବନ ମାଡ଼ କଲା । ଓଃ…. ଏତେ ଦିନେ ଟିକିଏ ଆଶ୍ୱସ୍ତି ମିଳିଲା । ଘଣ୍ଟାଏରେ ଖସାଇ ଦେଲା ତାତି । ୮ରୁ ୧୦ ଡିଗ୍ରୀ ସେଲସିୟସ୍ ପାରଦ କମିଗଲା । ରାଉରକେଲା, ଭୁବନେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ ବର୍ଷା, ପବନ ହୋଇଛି । ତାତିରୁ ଆଶ୍ୱସ୍ତି ମିଳିଥିଲେ ବି ବହୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି । ବିଦ୍ୟୁତ ବିଭ୍ରାଟ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘର ଉପରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ଖଣ୍ଡପ୍ରଳୟ ରଚିଥିବାବେଳେ ବୁଧବାର ଏହାର ପୁନରାବୃତ୍ତି ଘଟିଛି । ସହରରେ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୧୫ ମିଲିମିଟର ବର୍ଷା ହୋଇଥିବାବେଳେ ସେକ୍ଟର, ସିଭିଲ୍ ଟାଉନ୍, ଛେଣ୍ଡ୍ ଅଞ୍ଚଳ ସମେତ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା, ବୀରମିତ୍ରପୁର, ବଡ଼ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ରାଉରକେଲା ପାୱାର ହାଉସ୍, ସେକ୍ଟର ୨୧ ଅଞ୍ଚଳରେ ଗଛ ଭାଙ୍ଗି କାର୍ ଉପରେ ପଡ଼ିଛି । ଦୁଇଦିନ ତଳେ ହୋଇଥିବା କାଳବୈଶାଖୀ ଯୋଗୁ ସହରରେ ବିଦ୍ୟୁତ୍ ସରବରାହ ଏଯାଏ ସ୍ୱାଭାବିକ ହୋଇନି । ଏବେ ପୁଣି କାଳବୈଶାଖୀ ଦାଉ ସାଧିଛି । ରାଉରକେଲାରେ ଘଣ୍ଟା ପ୍ରତି ସର୍ବାଧିକ ୭୮ କିଲୋମିଟର ବେଗରେ ପବନ ମାଡ଼ ହୋଇଛି । ରାଉରକେଲା ତାପମାତ୍ରା ଦିନ ସାଢ଼େ ୨ଟାରେ ୩୭.୨ ଡିଗ୍ରୀ ଥିବାବେଳେ ବର୍ଷା, ପବନରେ ତାତି ୧୦ ଡିଗ୍ରୀ କମି ସନ୍ଧ୍ୟାରେ ୨୭ ଡିଗ୍ରୀକୁ ଖସି ଆସିଥିଲା ।
ଭୁବନେଶ୍ୱରରେ ସନ୍ଧ୍ୟା ସାଢ଼େ ୬ଟାରେ ତାପମାତ୍ରା ୩୧ ଡିଗ୍ରୀ ଥିବାବେଳେ ଅଧ ଘଣ୍ଟାଏ ବର୍ଷା, ପବନରେ ତାପମାତ୍ରା ୨୭ ଡିଗ୍ରୀକୁ ଖସି ଆସିଥିଲା । ବର୍ଷା ସାଙ୍ଗକୁ ସହରରେ ୬୫ କିମି ବେଗରେ ପବନ ବହିଥିଲା । ରବୀନ୍ଦ୍ର ମଣ୍ଡପ ସାମ୍ନା, ବଡ଼ଗଡ଼, ମଞ୍ଚେଶ୍ୱର, ସତ୍ୟବିହାର, ପୋଖରୀପୁଟ, ତମାଣ୍ଡୋ, ପଟିଆ ସମେତ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା । କିଛି ସ୍ଥାନରେ ଦୋକାନ ସାଇନବୋର୍ଡ ଉଡ଼ି ପଡ଼ିଥିବାବେଳେ ଉଠାଦୋକାନୀଙ୍କ ଜରି ପାଲ ଉଡ଼ି ତଳେ ପଡ଼ିଥିଲା । ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଉପୁଜିଥିଲା ।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା, ପାଟଣା, ସଦର ବ୍ଲକ୍ରେ କାଳବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତି ଘଟିଛି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଝୁମ୍ପୁରା ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ସାହାରପଡା ବ୍ଲକ ଅଞ୍ଚଳ ଓ ଆଖପାଖ ଇଲାକାରେ ଗଛ ଡାଳ ଭାଙ୍ଗି ପଡିଛି । ପଦ୍ମପୁର ଗୋଷ୍ଠୀ କେନ୍ଦ୍ର ପରିସରରେ ଗଛ ପଡି ଗାଡ଼ି ଭାଙ୍ଗିଯାଇଛି ।
କଟକ ସହର ଓ ୪୨ ମୌଜା ସମେତ ଆଖପାଖ ଅଞ୍ଚଳରେ ବର୍ଷା ଛେଚିଛି ସନ୍ଧ୍ୟାରେ । ପବନ ପ୍ରକୋପ ବି ରହିଥିଲା । ଭଦ୍ରକରେ ଘଣ୍ଟାଏ ଧରି ବର୍ଷା ସାଙ୍ଗକୁ ପବନ କୋପ ଦେଖାଇଥିଲା । ନୟାଗଡ଼ ଜିଲ୍ଲାର ରଣପୁର, ଭାପୁର, ନୂଆଗାଁ ବ୍ଲକରେ ଅଧିକ ବର୍ଷା ହୋଇଥିବାବେଳେ ଖଣ୍ଡପଡ଼ା, ଗଣିଆ, ଓଡ଼ଗାଁରେ ସାମାନ୍ୟ ବର୍ଷା, ପବନ ରହିଥିଲା । ବୌଦ୍ଧ ଜିଲ୍ଲାରେ ବର୍ଷା, ପବନ ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଥିଲା । ନୂଆପଡ଼ା ଜିଲ୍ଲାରେ ବର୍ଷା, ପବନ କୋପ ଦେଖାଇଥିଲା । ନୂଆପଡ଼ା ବ୍ଲକର ବିରୋମାଲ ଗାଁରେ କାଳବୈଶାଖୀ ତାଣ୍ଡବରେ ଟ୍ରାନ୍ସଫର୍ମର ଉପୁଡ଼ି ପଡ଼ିଥିବାବେଳେ ବହୁ ବିଜୁଳି ଖୁଣ୍ଟ ଏବଂ ଗଛ ଭାଙ୍ଗିଛି । ଢେଙ୍କାନାଳରେ ବର୍ଷା, ପବନ ଯୋଗୁ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ ରହିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ପବନ ପ୍ରଭାବ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବି ସନ୍ଧ୍ୟାରେ ବର୍ଷା, ପବନ ହୋଇଥିଲା । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ଜମନକିରାରେ ହାଲୁକା ବର୍ଷା ହୋଇଛି । ଏହି ବର୍ଷା, ପବନ ଯୋଗୁ ରାତିରେ ପ୍ରାୟତଃ ତାତିରୁ ବଡ଼ ଧରଣର ଆଶ୍ୱସ୍ତି ମିଳିଛି ।
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଗୁରୁବାର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଏବଂ ଦକ୍ଷିଣର କିଛି ଜିଲ୍ଲାରେ ଗୁଳୁଗୁଳି ପ୍ରଭାବ ରହିପାରେ । ଶୁକ୍ରବାର ଠାରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବନି । କେବଳ ଗୁଳୁଗୁଳି ପ୍ରକୋପ ରହିପାରେ ୩୧ ଯାଏ । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ, ଏବେ ତାତି ବଢ଼ିବନି, କମିବ । କ୍ରମଶଃ କାଳବୈଶାଖୀ ପ୍ରକୋପରେ ବର୍ଷା, ପବନ ବ୍ୟାପକ ହେବ । ଉପକୂଳ ଓ ଆଭ୍ୟନ୍ତରୀଣରେ ଶୁକ୍ରବାର ତାପମାତ୍ରାରେ ବଡ଼ ଧରଣର ହ୍ରାସ ଘଟିବ । ୨୯ରୁ ତାତି ଆହୁରି କମିଯିବ ।
ରାଜ୍ୟର ୧୭ଟି ସ୍ଥାନରେ ବୁଧବାର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ସମ୍ବଲପୁର ସର୍ବାଧିକ ୪୪.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩, ସୋନପୁର ୪୩.୧ ଡିଗ୍ରୀ ଥିଲା । ଆଜି ବଙ୍ଗୋପସାଗର ପଟୁ ରାଜ୍ୟକୁ ଘଣ୍ଟା ପ୍ରତି ୨୫ କିମି ପର୍ଯ୍ୟନ୍ତ ପବନ ବହୁଥିବାରୁ ସନ୍ଧ୍ୟାରେ କାଳବୈଶାଖୀ ବିସ୍ତୃତ ଅଞ୍ଚଳକୁ ବ୍ୟାପିଥିଲା ।

