
ୟାଦଗିର (କର୍ଣ୍ଣାଟକ): ବସ୍ ସହିତ କାର୍ ମୁହାଁମୁହିଁ ଧକ୍କା । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର 9 ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ସୁରପୁର ତାଲୁକର ଶାନ୍ତପୁରା କ୍ରସ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଉଦ୍ଧୃତ କରି, ପୋଲିସ ଅଧୀକ୍ଷକ ପୃଥ୍ବୀକ ଶଙ୍କର କହିଛନ୍ତି ଯେ, କମ୍ପାକ୍ଟ ୟୁଟିଲିଟି ଭେଇକିଲ୍ (CUV) କାର୍ର ଟାୟାର ଫାଟିଯାଇଥିଲା । ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାର୍ଟି ଏକ ଘରୋଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ CUVରେ ନିଆଁ ଲାଗିଯାଇଥିଲା । ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ କାର୍ ଏବଂ ବସ୍ ଉଭୟ ନିଆଁରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଦୁର୍ଘଟଣାରେ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ମୃତକମାନେ ହେଲେ କୃଷ୍ଣ ନାୟକ (52) ଏବଂ ତାଙ୍କ ପତ୍ନୀ ଅନନ୍ତ କାଲା (45); ଶରଣପ୍ପା (36) ଏବଂ ତାଙ୍କ ପତ୍ନୀ ନିସର୍ଗ (30); ସେମାନଙ୍କ ପିଲା ସିଦ୍ଧାର୍ଥ (3), ଅଦ୍ବିକ୍ (5) ଏବଂ ଶ୍ରୀନିଧି (1.5); ଏବଂ ଶଶିକଳା (30) ଏବଂ ତାଙ୍କ ପୁଅ ଚନ୍ଦନ (8) ବୋଲି ପୋଲିସ କହିଛି । ସେପଟେ ଶଶିକଳାଙ୍କ ଅନ୍ୟ ପୁଅ ବିରାଟ (10) ଅଳ୍ପକେ ବଞ୍ଚି ଯାଇଛନ୍ତି ବୋଲି ପୋଲସ କହିଛି ।
ଦୁର୍ଘଟଣା ସମୟରେ କାରରେ ପାଞ୍ଚ ଜଣ ପିଲା ସମେତ ମୋଟ 10 ଜଣ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ହିଁ ଚାରି ଜଣ ଯାତ୍ରୀ, ସେମାନଙ୍କ ମଧ୍ୟରୁ ଦୁଇ ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ୟଦଗିରି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ପଠାଯାଇଥିଲା । ସେଠାରେ 9 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବିରାଟଙ୍କ ଚିକିତ୍ସା ଚାଲିଛି ।



