
ମସ୍କୋ: ରୁଷ ବିଶ୍ୱର ସବୁଠାରୁ ଦୂରଗାମୀ କ୍ଷେପଣାସ୍ତ୍ର (ମିସାଇଲ) ‘ସରମତ୍’ର ସଫଳ ପରୀକ୍ଷା କରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ୩୫ ହଜାର କିଲୋମିଟରରୁ ଅଧିକ । ଚଳିତବର୍ଷ ଶେଷ ସୁଦ୍ଧା ଏହାକୁ ସେନାରେ ମୁତୟନ କରାଯିବ।ସରମତ୍ ହେଉଛି ଏକ ଆଣବିକ ଶକ୍ତି ସମ୍ପନ୍ନ ମିସାଇଲ । ଏହାକୁ ମାକେୟେବ ରକେଟ ଡିଜାଇନ ବ୍ୟୁରୋ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ରୁଷର ଷ୍ଟ୍ରାଟେଜିକ ରକେଟ ଫୋର୍ସେସ୍ ଦ୍ୱାରା ସଂଚାଳିତ କରାଯିବ । ରୁଷ ଏହାକୁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରେ । ସରମତ୍ ସ୍ୟାଟନ-୨ ନାମରେ ମଧ୍ୟ ପରିଚିତ । ଏହା ପୁରୁଣା ଏଏସ୍ଏସ୍-୧୮ ମିସାଇଲର ଆଧୁନିକ ଓ ଘାତକ ସଂସ୍କରଣ । ଏହାର ପ୍ରାରମ୍ଭିକ ଦୂରଗାମୀ କ୍ଷମତା ୧୮ ହଜାର କି.ମି. ରହିଥିଲା ବେଳେ ଏହା ୩୫ ହଜାରରୁ ଅଧିକ କି.ମି. ପର୍ଯ୍ୟନ୍ତ ଯାଇପାରିବ ବୋଲି ପୁଟିନ ଦାବି କରିଛନ୍ତି । ଅର୍ଥାତ ଏହା ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧ ପର୍ଯ୍ୟନ୍ତ ବାଟରେ ରହିଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ତା’ଛଡା ଏହା ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟକୁ ମଧ୍ୟ ଚକ୍କା ଦେବାରେ ସକ୍ଷମ । ଶତ୍ରୁର ରାଡାର କିମ୍ବା ମିସାଇଲ ନିରୋଧୀ ବ୍ୟବସ୍ଥା ଏହାକୁ ରୋକି ପାରିବ ନାହିଁ । ସେହିଭଳି ଏହି ମିସାଇଲ୍ ଏମ୍ଆଇଆରଭି (ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟଡ୍ ରି-ଏଣ୍ଟ୍ରି ଭେହିକିଲ୍) ବୈଷୟିକ ଜ୍ଞାନ କୌଶଳରେ ସନ୍ନିବେଶିତ । ଯାହାଫଳରେ ଗୋଟିଏ ମିସାଇଲ ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳକୁ ଟାର୍ଗେ କରିପାରିବ । ଏହି ମିସାଇଲ୍ରେ ଲଗାଯିବାକୁ ଥିବା ଯୁଦ୍ଧାସ୍ତ୍ର ହାଇପରସୋନିକ ବେଗରେ ବାୟୁମଣ୍ଡଳରେ ପ୍ରବେଶ କରିବ । ଅତ୍ୟଧିକ ଗତି ଯୋଗୁ ଏହାକୁ ରୋକିବା ଅସମ୍ଭବ ।
ଏହି ମିସାଇଲ୍ ବିଶ୍ୱର ଯେକୌଣସି ଦେଶକୁ ଟାର୍ଗେଟ କରିପାରିବ ବୋଲି ରୁଷ କହିଛି । ଫଳରେ ରୁଷର ପରମାଣୁ ଶକ୍ତି ଆହୁରି ମଜଭୁତ ହୋଇଛି । ସରମତ ମିସାଇଲର ମୁତୟନ ଆମେରିକା ଓ ନାଟୋ ଦେଶ ବିରୋଧରେ ରୁଷକୁ ମଜଭୁତ ସୁରକ୍ଷା ପ୍ରଦାନ କରିବ । ରୁଷ ଏହାକୁ ନିଜ ସାମରିକ ସୁରକ୍ଷା କବଚର ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରେ । ଏହି ମିସାଇଲର ସଫଳ ପରୀକ୍ଷଣ ଓ ବର୍ଷ ଶେଷ ସୁଦ୍ଧା ଏହାକୁ ସେନାରେ ସାମିଲ କରିବା ରୁଷର ସୈନ୍ୟ କ୍ଷମତାକୁ ପ୍ରଦର୍ଶିତ କରୁଛି । ଏହି ମିସାଇଲ ପରୀକ୍ଷଣ ବୈଶ୍ୱିକ ସ୍ତରରେ ସୁରକ୍ଷାର ସନ୍ତୁଳନକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ।
