
ଭୁବନେଶ୍ୱର: ଶାଶୁଘରେ ନିର୍ଯାତନା ସହିନପାରି ମହିଳା ଜୀବନ ହାରିଥିବା ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳରେ ଏକ ଭଡାଘରୁ ସନ୍ଦେହଜନକ ଭାବରେ ମୃତଦେହକୁ ପୋଲିସ ଜବତ କରିଛି । ମୃତା ମହିଳା ହେଲେ ଶିଳ୍ପୀ ମୁର୍ମୁ (୩୯) । ଏନେଇ ଶିଳ୍ପୀଙ୍କ ଭଉଣୀ ରଶ୍ମି ରୋଜ ମୁର୍ମୁ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ସ୍ୱାମୀ ଓ ପରିବାର ଲୋକଙ୍କ ନିର୍ଯାତନା ପାଇଁ ଶିଳ୍ପୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ଏନେଇ ପୋଲିସ ଏକ ମାମଲା (ନଂ.୮୮୭/୨୦୨୬) ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସ ଶିଳ୍ପୀଙ୍କ ସ୍ୱାମୀକୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଟାଉନ ଅଞ୍ଚଳର ରଞ୍ଜିତ କୁମାର ମୁର୍ମୁ (୩୭)ଙ୍କୁ ଗିରଫ କରିଛି । ରଞ୍ଜିତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
କମିଶନରେଟ୍ ପୋଲିସ ସୂଚନା ଅନୁଯାୟୀ, ଶିଳ୍ପୀ ମୁର୍ମୁ (୩୯), ଓଡ଼ିଶା ସିଭିଲ ସପ୍ଲାଇ ବିଭାଗରେ ଚାକିରୀ କରୁଥିବା ବେଳେ, ସୌଭାଗ୍ୟ ନଗର ଲେନ୍-୭ସ୍ଥିତ ପ୍ଲଟ୍ ନଂ-୪୪ରେ ରହୁଥିଲେ । ରଞ୍ଜିତଙ୍କ ସହ ୨୦୧୯ ଜୁଲାଇ ୧୦ରେ ବିବାହ ହୋଇଥିଲା । ରଞ୍ଜିତ ଜଗତସିଂହପୁର ଜିଲ୍ଲାର ଏରସମା ଶାଖା ସେଣ୍ଟ୍ରାଲ ବ୍ୟାଙ୍କରେ କାମ କରୁଥିଲେ । ଏକ ଠକେଇ ମାମଲା ଯୋଗୁଁ ତାଙ୍କୁ ଚାକିରିରୁ ସସ୍ପେଣ୍ଡ ମଧ୍ଯ କରାଯାଇଥିଲା । ରଞ୍ଜିତ ଏବଂ ତାଙ୍କ ପରିବାର ଲୋକେ ଟଙ୍କା ପଇସାକୁ ନେଇ ଶିଳ୍ପୀଙ୍କୁ ମାନସିକ ଭାବେ ହଇରାଣ କରୁଥିଲେ । ଏପରିକି ବାରମ୍ବାର ଟଙ୍କା ଦାବି କରୁଥିଲେ । ଶିଳ୍ପୀଙ୍କର କୌଣସି ସନ୍ତାନ ନଥିଲା । ଏହି କାରଣରୁ ତାଙ୍କ ଶାଶୁର ଘର ଲୋକେ କଳା ଯାଦୁ ଭଳି କିଛି କାର୍ଯ୍ୟରେ ଜଡ଼ିତ ଥିବା ମଧ୍ୟ ଅଭିଯୋଗ ରହିଛି ।
ସନ୍ତାନ ନହେବାକୁ ନେଇ ରଞ୍ଜିତ ଏବଂ ଶିଳ୍ପୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା । ଏହି କାରଣରୁ ଶିଳ୍ପୀ ଶାଶୁ ଘରକୁ ଯିବାକୁ ଇଚ୍ଛା କରୁନଥିଲେ । ୨୦୨୨ ମସିହାରୁ ଶିଳ୍ପୀ ଓଡ଼ିଶା ସିଭିଲ ସପ୍ଲାଇ ବିଭାଗରେ ଭୁବନେଶ୍ୱରରେ ଚାକିରି ପାଇବା ପରେ ରଞ୍ଜିତ ଓ ଶିଳ୍ପୀ ଏରସମାରୁ ଭୁବନେଶ୍ୱରକୁ ଆସି ରହିଥିଲେ । ଏହାପରେ ମଧ୍ୟ ଶିଳ୍ପୀଙ୍କୁ ରଞ୍ଜିତ ହଇରାଣ କରୁଥିଲେ । ବାରମ୍ବାର ଟଙ୍କା ଦାବି କରୁଥିଲେ । ଶିଳ୍ପୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ମାମଲା କରିବାକୁ ଚାହୁଁଥିଲେ । କିନ୍ତୁ ସେ ମାମଲା ଦାଖଲ କରିନଥିଲେ ।
ରଞ୍ଜିତଙ୍କର ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ରହିଛି । ଶିଳ୍ପୀ ଜାଣିବାକୁ ପାଇଥିଲେ ଯେ, ରଞ୍ଜିତ ଭୁବନେଶ୍ୱରରେ ଉକ୍ତ ମହିଳାଙ୍କ ସହ ରହୁଥିଲେ । ଏସବୁ ଘଟଣା ପାଇଁ ରଞ୍ଜିତ ଓ ଶିଳ୍ପୀଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ବିବାଦ ଲାଗି ରହିଥିଲା । ଶେଷରେ ଶିଳ୍ପୀଙ୍କ ଆତ୍ମହତ୍ୟା କରି ଝୁଲି ପଡ଼ିବା ଘଟଣା ଏହି ଦାମ୍ପତ୍ୟ ବିବାଦର ପରିଣାମ ବୋଲି ଶିଳ୍ପୀଙ୍କ ଭଉଣୀ ତଥା ଅଭିଯୋଗକାରିଣୀ ରଶ୍ମି ଜଣାଇଛନ୍ତି । ଏହି ସମ୍ପର୍କରେ ସେ ଥାନାରେ ରିପୋର୍ଟ ଦାଖଲ କରିଥିଲେ ।
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ରଞ୍ଜିତ କୁମାର ମୁର୍ମୁଙ୍କୁ ଗିରଫ କରିଥିବା ବେଳେ, ସେ ନିଜର ଦୋଷ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।




