ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଆଜି ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଏହି ଘଟଣା। ଗୋଟିଏ କନ୍ଧମାଳ ଓ ଅନ୍ୟଟି ବଲାଙ୍ଗିର ଜିଲ୍ଲାରେ ଘଟିଛି।
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୬୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କ ଚିକିତ୍ସା ପାଇଁ ଗାଁରେ ଏକ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛି।
ଏହି ଘଟଣାକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ତେବେ ପିଲାମାନେ କାହିଁକି ଅସୁସ୍ଥ ହେଲେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଳା ବେଳେ ଲୁଣ ବଦଳରେ ଡିଟରଜେଣ୍ଟ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଛାତ୍ରଛାତ୍ରୀମାନେ ଖାଇବା ପୂର୍ବରୁ ଡିଟରଜେଣ୍ଟ ଲଗାଇ ଥାଳି ଧୋଇଥିଲେ। କିନ୍ତୁ ଭଲ ଭାବେ ସଫା କରି ନଥିବାରୁ ସେଥିରୁ ଏମିତି ଘଟିଥାଇପାରେ ବୋଲି କହିଛନ୍ତି ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପରିହାର।
ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରି ଦିଆଯାଇଥିଲା। ଏହାକୁ ଖାଇବା ପରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କର ପେଟ ବ୍ୟଥା ହେବା ସହିତ ବାନ୍ତି ହୋଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ସିମନବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫୁଡ୍ ପଏଜନ ଯୋଗୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି।








