ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

* ଓଡ଼ିଶାକୁ ଶସ୍ତା ପାଇଛି ବିଜେପି
* କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦
ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ ଏରିଆ ଥିବାବେଳେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଏହାର ଜଳକୁ ୫୦-୫୦ ଅନୁପାତରେ ବାଣ୍ଟିବା ଦ୍ବାରା ଡବଲ ଇଂଜିନ ସରକାରର ଅସଲ ଓ୍ବରୂପ ପଦାରେ ପଡ଼ିିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନଠାରେ ସମ୍ବାଦଦାତାମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଓଡ଼ିଶାକୁ ବିଜେପିର ଡବଲ ଇଂଜିନ ସରକାର ଶସ୍ତା ପାଇଛନ୍ତି। ମାର୍ଚ୍ଚ ୩୦ ତାରିଖରେ ବଂଶଧାରାର ଅନ୍ୟାୟମୂଳକ ରାୟ ଓଡ଼ିଶା ବିରୋଧରେ ପ୍ରକାଶ କରାଯାଇଥିବା ବେଳେ ୨ ଅପ୍ରେଲ ପୂର୍ବତଟ ରେଳପଥରୁ ପଲାସା-ଇଚ୍ଛାପୁରମ ସେକ୍ସନକୁ ଓ୍ବାଲଟିୟର ଡିଭିଜନକୁ ନେଇଯାଇଛନ୍ତି। ସେହିପରି ପୂର୍ବରୁ ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ଓଡ଼ିଶକୁ ହୀନସ୍ତା କରାଯାଇଥିବା ବେଳେ ଏବେ ବଂଶଧାରାରେ ମଧ୍ୟ ଘୋର ଅନ୍ୟାୟ କରାଯାଇଛି। ନିୟମଗିରିରୁ ବାହାରିଥିବା ବଂଶଧାରାର ଜଳ ଓଡ଼ିଶାର। ଏହାକୁ କଦାପି ଆନ୍ଧ୍ର ସହ ସମାନ ଅନୁପାତରେ ବଣ୍ଟାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ଜଳଶକ୍ତି ବିଭାଗ ତୁରନ୍ତ ଏହି ରାୟର ବିଜ୍ଞପ୍ତି ରଦ୍ଦ କରିବାକୁ ସେ ଦଳ ପକ୍ଷରୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଗୋଟ୍ଟା ବ୍ୟାରେଜ୍‌ରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍‌ସି ସ୍ଥିର ହୋଇଛି। ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶ ରହିଛି। ଏଥି ସହିତ ଡାହାଣ ଡାଇକ୍‌ରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ପାଇଁ ବାମ ପାଖରେ ଆଉ ଏକ ସ୍ଲୁଇସ ଗେଟ୍ ନିର୍ମାଣର ଅନୁମତି ରହିଛି। ଅବଶିଷ୍ଟ ଛଅ ମାସରେ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ୫୦:୫୦ ଅନୁପାତରେ ବାଣ୍ଟି ନେବେ ବୋଲି ନିର୍ଦ୍ଦେଶ ରହିଛି। ୨୦୨୬ ମାର୍ଚ୍ଚ ୩୦ରେ ଟ୍ରିବ୍ୟୁନାଲ୍ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି।

ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। କେନ୍ଦ୍ରୀୟ ଟ୍ରିବୁନାଲ୍‌ ଗଠନ ସହ କାଟ୍ରାଗାଡ଼ା ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ କରିବାକୁ ଆବେଦନ କରିଥିଲେ। ଏବେ ରାୟରେ ଆନ୍ଧ୍ରକୁ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି। ବର୍ତ୍ତମାନ ହୋଇଥିବା ରାୟ ଅନୁଯାୟୀ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ। ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ। ଚାଷୀଙ୍କ ସ୍ୱାର୍ଥରେ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମ୍‌ସି ଜଳ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାର ପରିଚାଳନା ପାଇଁ ଉଭୟ ରାଜ୍ୟର ପ୍ରତିନିଧି ସହ ଏକ କମିଟି ଗଠନ କରାଯିବ ବୋଲି କୁହାଯାଇଛି।

ତେବେ ଟ୍ରିବ୍ୟୁନାଲର ଏହି ନିଷ୍ପତ୍ତି କେବଳ ଆନ୍ଧ୍ରକୁ ସୁହାଇଲା ଭଳିଆ ହୋଇଛି। ବଂଶଧାରା ନଦୀର କ୍ୟାଚମେଣ୍ଟ ଏରିଆ ୧୦ ହଜାର ୮୩୦ ବର୍ଗ କିମି ରହିଥିବା ବେଳେ ଓଡ଼ିଶାରେ ସିଂହଭାଗ ୮୦୧୫ ବର୍ଗ କିମି ରହିଛି। ଆନ୍ଧ୍ରରେ ମାତ୍ର ୨୮୧୫ ବର୍ଗ କିମି ରହିବା ସତ୍ତ୍ବେ ୩ଟି ପ୍ରକଳ୍ପ କରିବାରେ ସକ୍ଷମ ହୋଇଛି ଆନ୍ଧ୍ର। ଏଥିସହିତ ଟ୍ରିବ୍ୟୁନାଲ ଦେଇଥିବା ରାୟ ଅନୁଯାୟୀ ନଦୀର ଜଳପ୍ରବାହକୁ ଉଭୟ ଆନ୍ଧ୍ର ଓ ଓଡିଶା ୫୦:୫୦ ଅନୁପାତରେ ବାଣ୍ଟିନେବେ ବୋଲି ନିର୍ଦ୍ଦେଶ ହୋଇଛି। ଓଡିଶାର କ୍ୟାଚମେଣ୍ଟ ଏରିଆ ସିଂହ ଭାଗ ରହିଥିବା ବେଳେ କେଉଁ ଆଧାରରେ ୫୦:୫୦ ଅନୁପାତରେ ଜଳ ବାଣ୍ଟିନେବେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଟ୍ରିବ୍ୟୁନାଲ୍‌ ଦେଇଥିବା ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ବିପଦ ସୃଷ୍ଟି କରିବ।ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ସେ ଆଶଙ୍କା କରିଛନ୍ତି।

ସେ ଆହୁରି କହିଛନ୍ତି, ଆନ୍ଧ୍ର ବଂଶଧାରା ନଦୀ ଉପରେ ୩ଟି ବ୍ୟାରେଜ ନିର୍ମାଣ କରି ଜଳ ବ୍ୟବହାର କରୁଛି। ୧୯୭୨ରେ ହୀରମଣ୍ଡଳମ୍‌ଠାରେ ଗୋଟ୍ଟା ବ୍ୟାରେଜ, ୧୯୮୦ରେ ନେରେଡ଼ିରେ ଦ୍ବିତୀୟ ଏବଂ ୨୦୦୩ରେ ୯୫୦ କୋଟି ବ୍ୟୟରେ କାଟ୍ରାଗାଡ଼ାରେ ତୃତୀୟ ପ୍ରକଳ୍ପ ନିର୍ମାଣ କରିଛି। ଅଥଚ ଗତ ୬ ଦଶନ୍ଧି ମଧ୍ୟରେ ଓଡ଼ିଶାର ପାଣିଡଙ୍ଗର ବ୍ୟାରେଜ ଶିଳାନ୍ୟାସରେ ହିଁ ସୀମିତ ରହିଛି। ଓଡ଼ିଶାର ପ୍ରମୁଖ ନଦୀ ମଧ୍ୟରେ ବଂଶଧାରା ଅନ୍ୟତମ। କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର ଚାଷୀଙ୍କ ପାଇଁ ଏହା ଲାଇଫ୍‌ ଲାଇନ୍‌। ପୂର୍ବରୁ ଜଳ ସଂରକ୍ଷଣ ଓ ନଦୀ ସଂଯୋଗୀକରଣ ପ୍ରସ୍ତାବକୁ ଓଡ଼ିଶା ସରକାର ପୂର୍ବରୁ ଗୁରୁତ୍ବ ଦେଇନଥିବାରୁ ବର୍ଷାଋତୁକୁ ଛାଡ଼ିଲେ ଅନ୍ୟ ସମୟରେ ଶୁଖିଲା ପଡ଼ୁଛି ବଂଶଧାରା। ସବୁ ପାଣି ଆନ୍ଧ୍ରକୁ ବହି ଯାଉଥିବାରୁ ୩ଟି ପ୍ରକଳ୍ପ କରି ଏହାର ଫାଇଦା ଉଠାଉଛି ଆନ୍ଧ୍ର। ଆନ୍ଧ୍ରର କାଟ୍ରାଗାଡ଼ା ପ୍ରକଳ୍ପକୁ ବିଫଳ କରିବାକୁ ଯୋଜନା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଂଶଧାରା-ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ଏହା ଦ୍ୱାରା ଆନ୍ଧ୍ରକୁ କମ ଜଳ ପ୍ରବାହିତ ହେବ। ନଦୀ ସଂଯୋଗୀକରଣ ଦ୍ବାରା ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଶହଶହ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟଜଳ ସମସ୍ୟା ଦୂର ହୋଇଥାନ୍ତା। ଏଥି ସହ ନଦୀ ସଂଯୋଗୀକରଣ ବଂଶଧାରାରେ ବନ୍ୟା ନିୟନ୍ତ୍ରଣରେ ସହାୟକ ହୋଇଥାନ୍ତା। ମାତ୍ର ଏହି ପ୍ରକଳ୍ପ ଏଯାବତ୍‌ ପ୍ରସ୍ତାବରେ ହିଁ ସୀମିତ ରହିଛି। ରାଜ୍ୟ ସରକାର ତୁରନ୍ତ ଉପର ମୁଣ୍ଡରେ ଆନିକଟ ନିର୍ମାଣ କରି ଜଳସେଚନ ପାଇଁ ଜଳ ବ୍ୟବହାର କରିବା ଉଚିତ। ଏଥି ସହ ଜଳବିଦ୍ୟୁତ୍‌ ପ୍ରକଳ୍ପ ମଧ୍ୟ ବଂଶଧାରାରେ ନିର୍ମାଣ ହୋଇପାରିବ ବୋଲି ସେ କହିଛନ୍ତି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ