
ଭୁବନେଶ୍ୱର: ସୁନ୍ଦରଗଡ଼ ଖଣି ଚୋରି ମାମଲାଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଅଭିଯୋଗ । ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଦାବି କରିଛନ୍ତି ।
ଏହି ଖଣି ଚୋରି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କୁସୁମ ଟେଟେ । ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରେ କଳା ହୀରାର କଳା କାରବାର ଚାଲିଛି । ଏଥିରେ ବଡ଼ ବଡ଼ ମାଫିଆ, କିଛି ବରିଷ୍ଠ ରାଜନେତା ଓ ସରକାରୀ ବାବୁ ସାମିଲ ଥିବାରୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କୁସୁମ ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ତେଲେନଡ଼ିହି ଖଣି ଚୋରି ଘଟଣାରେ ଖସି ଯାଇ ପାରିବେନି ମାଫିଆ । ଯେତେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ହେବ କାର୍ୟ୍ୟାନୁଷ୍ଠାନ । ଖଣି ଚୋରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଗଣମାଧ୍ୟମ ରିପୋର୍ଟ ଅଧାରରେ ରାଜ୍ୟ ସରକାର ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି । ସେପଟେ ବାରମ୍ବାର ଖବର ପ୍ରସାରଣ ପରେ ଖଣି ବିଭାଗର ନିଦ ଭାଙ୍ଗିଛି । ବିଭାଗ ପକ୍ଷରୁ ହେମଗିରି ଥାନାରେ ଏତଲା ହୋଇଛି । ପୋଲିସ ମାମଲା ରଜୁ କରିବା ସହ ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ତଦନ୍ତ ଚଳାଇଛି ।
ଖଣି ଦୁର୍ନୀତିର ଚେର ଖୋଜିବାକୁ ମାଇନିଂ କମିଟି ଗଠନ କରିଛନ୍ତି ପିସିସି ସଭାପତି । ଏହାର ଅଧ୍ୟକ୍ଷ ଅଛନ୍ତି ତାରାପ୍ରସାଦ ବାହିନୀପତି। ଏହି ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ଖଣି ଚୋରି ଘଟଣାର ଅନୁଧ୍ୟାନ କରିବ । ତେବେ ଖଣି ଲୁଟ୍ ପଛରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ସାହା କମିଶନ ଭଳି ଜୁଡିସିଆରି ତଦନ୍ତ ଦାବି କରିଛି କଂଗ୍ରେସ । ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ଉଚ୍ଚ ସ୍ତରୀୟ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।







