
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୪/୨୫ ଶେଷ ସୁଦ୍ଧା ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ ୮୫ ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର ୮୧% ଥିଲା । କାର୍ୟ୍ୟକ୍ରମ ଓ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଆରୋପ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଖର୍ଚ୍ଚ ପ୍ରସ୍ତାବକୁ ଅନୁଧ୍ୟାନ କରି ଅନୁମୋଦନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଚଳିତ ଆର୍ଥିକ ବର୍ଷରେ ନିର୍ବାଚନ ଓ ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ । ତେଣୁ ସଂପୂର୍ଣ୍ଣ ବଜେଟ ସେପ୍ଟେମ୍ୱର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି । ଚଳିତ ଆର୍ଥିକ ବର୍ଷରେ ଆଉ ଗୋଟିଏ ମାସ ସମୟ ରହିଛି । ତାକୁ ସଂପୂର୍ଣ୍ଣ ଉପଯୋଗ କରିବାକୁ ପଡିବ । ବଜେଟର ଅନ୍ୟୁନ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ହେବ ।ମନ୍ତ୍ରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଭାଗୀୟ ମନ୍ତ୍ରୀ ମାନେ ଯେଉଁ ସବୁ ଖର୍ଚ୍ଚ ପ୍ରସ୍ତାବ ଅଛି, ତାକୁ ତୁରନ୍ତ ଅନୁଧ୍ୟାନ କରି ଆବଶ୍ୟକ ଅନୁମୋଦନ କରିବା ଉଚିତ । ବିଭିନ୍ନ କଲ୍ୟାଣ ଯୋଜନାରେ ଯେଉଁସବୁ ଦେୟ ପ୍ରଦାନ ବାକି ରହିଛି, ସେଗୁଡିକୁ ମଧ୍ୟ ନିୟମ ଅନୁଯାୟୀ ତୁରନ୍ତ ପ୍ରଦାନ କରିବାକୁ ପଡିବ । କାର୍ୟ୍ୟକ୍ରମ ବ୍ୟୟ ଓ ପୁଞ୍ଜି ବ୍ୟୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ରୋଜଗାର ସୃଷ୍ଟି ହୁଏ । ଅଭିବୃଦ୍ଧିରେ ଉନ୍ନତି ଆସେ । ଓଡିଶା ନିଜ ଘରୋଇ ଉତ୍ପାଦ ବା ଏଝଊଚର ୬.୧ ପ୍ରତିଶତ ପୁଞ୍ଜି ବ୍ୟୟବରାଦ କରିଛି । ସାରା ଦେଶରେ ଏହା ସବୁଠାରୁ ଅଧିକ ।କୃଷିଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥନୈତିକ କାର୍ୟ୍ୟକଳାପ ବୃଦ୍ଧି କରିବା ଆମର ଲକ୍ଷ୍ୟ ହେଉଛି । ଏଥିପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ । ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିନିଯୋଗ ହେବା ଜରୁରୀ । ଲୋକଙ୍କ ସରକାର, ଲୋକଙ୍କ ବଜେଟ ପ୍ରସ୍ତୁତ କରିଛି । ଏସବୁ ଲୋକଙ୍କ ପାଇଁ ଯେପରି ଖର୍ଚ୍ଚ ହେବ । ସେଥିପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସ୍ୱାସ୍ଥ୍ୟ, ଜଳ ସଂପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ, ଯୋଗାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଅପେକ୍ଷାକୃତ ଭଲ ରହିଛି । ଅନ୍ୟ ବିଭାଗ ଗୁଡିକ ମଧ୍ୟ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।




