
ନିଅଣ୍ଟିଆ ଜିଲ୍ଲା ସଂଖ୍ୟା ‘ଶୂନ’
ସ୍ୱାଭାବିକଠୁ ଟପିଲା ଅତ୍ୟଧିକ ବର୍ଷା ଜିଲ୍ଲା
ଭୁବନେଶ୍ୱର, ୩୦ ।୯ : ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସ୍ୱାଭାବିକ ଭାବେ ୧୧୫୦.୨ ମିମି ବର୍ଷା ହୋଇଥାଏ । ହେଲେ ଏଥର ୧୪୮୪.୩ ମିମି ବର୍ଷା ହୋଇଛି । ଅର୍ଥାତ୍ ସ୍ୱାଭାବିକ ଠାରୁ ୨୯% ଅଧିକ ବର୍ଷା ଢାଳିଛି । ୨୦%ରୁ ଅଧିକ ବର୍ଷା ହେଲେ ଅତ୍ୟଧିକ ବର୍ଷା ବୋଲି କୁହାଯାଏ । ଏବର୍ଷ ମୌସୁମୀରେ ଗୋଟିଏ ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନି । ସ୍ୱାଭାବିକ ବର୍ଷା ଜିଲ୍ଲା ଠାରୁ ଅତ୍ୟଧିକ ବର୍ଷା ଜିଲ୍ଲା ସଂଖ୍ୟା ଅଧିକ ରହିଛି ।
ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ସ୍ୱାଭାବିକ ବର୍ଷା ହୋଇଛି । ଯେତେବେଳେକି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ଅତ୍ୟଧିକ ବର୍ଷା ହୋଇଛି । ସେହିପରି ବୌଦ୍ଧରେ ଅତ୍ୟନ୍ତ ଅତ୍ୟଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି ।
ମୌସୁମୀ ଆରମ୍ଭରୁ ଏଲନିନୋ ପାଇଁ କମ୍ ବର୍ଷା ହେବବୋଲି ଅନୁମାନ କରାଯାଉଥିଲା । କିନ୍ତୁ ବହୁବାର ଲଘୁଚାପ ଆସିବା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଓଡ଼ିଶାରେ ସକ୍ରିୟ ରହିବାରୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଛୋଟ ବଡ଼ ବନ୍ୟା ବି ଆସିଥିଲା । ପ୍ରାରମ୍ଭରୁ ନିଅଣ୍ଟିଆ ବର୍ଷା ହୋଇଥିଲେବି ପରେ ନିଅଣ୍ଟିଆ ଭରଣା ହେବା ସହ ଅତ୍ୟଧିକ ବର୍ଷା ହୋଇଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଓଡ଼ିଶା ଛାଡ଼ିବ । ତେବେ ଅକ୍ଟୋବର ୨ରୁ ଆଉ ବଡ଼ବର୍ଷା ନଥିବା ଅନୁମାନ କରାଯାଉଛି । ଅକ୍ଟୋବର ପହିଲାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।







