
ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ
ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ରେ ବିଭିନ୍ନ ସ୍ଥାନରେ ଧୁମ୍ଧାମରେ ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ପାଳିତ ହୋଇଛି। ଏଥିପାଇଁ ସହରର ବିଭିନ୍ନ ପୂଜା ମଣ୍ଡପକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜାରେ ସୁସଜ୍ଜିତ କରାଯାଇଛି। ସନ୍ଧ୍ୟା ହେଲେ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକ ଝଲସି ଉଠୁଛି।ସ୍ଥାନୀୟ ଜୀବନଜ୍ୟୋତି ମହାବିଦ୍ୟାଳୟ, ସୁଧାକିରଣ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମେତ ବିଭିନ୍ନ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ପୂଜାରେ ସାମିଲ ହୋଇ ଗଜାନନଙ୍କ ଆଶୀର୍ବାଦ କାମନା କରିଥିଲେ।ସେହିପରି ଚୂନପଲ୍ଲୀ ଛକ, ଟାଇଗର କ୍ଲବ, ବିଜୟ ବଜାର, ବ୍ଲକ ଛକ, ବେରେଡିକିଆ ଛକ ଓ କାଟାପଲ୍ଲୀ ସାହି ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ଆୟୋଜିତ ହୋଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ସକାଳୁ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି ଆଦି କରାଯାଇଥିଲା।ପୂଜା ଅବସରରେ ଶ୍ରଦ୍ଧାଳୁମାନେ ବିଭିନ୍ନ ମଣ୍ଡପରେ ପହଞ୍ଚି ଗଜାନନଙ୍କ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବୁଧବାର ଦିନ ବେରେଡିକିଆ ଗଣେଶ ପୂଜା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଏନେଇ କମିଟି ସଭାପତି ସୂଚନା ଦେଇଛନ୍ତି।.ଗଣେଶ ପୂଜାକୁ ନେଇ ସମଗ୍ର ରାଇକିଆ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








