
ନୂଆଦିଲ୍ଲୀ: ପୁଡୁଚେରୀରେ ଶପଥ ସମାରୋହ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଏନ୍. ରଙ୍ଗାସାମୀ। ଲେଫ୍ଟନାଣ୍ଟ ଗଭର୍ଣ୍ଣର କେ. କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।ପଞ୍ଚମ ଥର ପାଇଁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ହୋଇଥିବା ୭୬ ବର୍ଷୀୟ ରଙ୍ଗାସାମୀ ପୁଡୁଚେରୀର ସବୁଠାରୁ ପ୍ରଭାବଶାଳୀ ରାଜନେତା । ପେଶାରେ ସେ ଜଣେ ଓକିଲ, ଶାନ୍ତ ଏବଂ ନମ୍ର ଆଚରଣ ପାଇଁ ସେ ବେଶ୍ ଜଣାଶୁଣା। ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀ ୧୯୯୦ ମସିହାରେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ। ସେ ଥାଟନଚାଭାଡି ନିର୍ବାଚନମଣ୍ଡଳୀରୁ ତାଙ୍କର ପ୍ରଥମ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ହାରିଯାଇଥିଲେ। ମାତ୍ର ଗୋଟିଏ ବର୍ଷ ପରେ, ସେ ପୁଣି ଥରେ ସେହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ୧୯୯୧ ମସିହାରେ, ପ୍ରଥମ ଥର ପାଇଁ ପୁଡୁଚେରୀ ବିଧାନସଭାରେ ପହଞ୍ଚିଥିଲେ । ଏହି ବିଜୟ ତାଙ୍କ ପାଇଁ ଏକ ଦୀର୍ଘ ରାଜନୈତିକ କ୍ୟାରିୟରର ଦ୍ୱାର ଖୋଲିଦେଇଥିଲା। ୨୦୦୧ରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳ ଏନ୍. ରଙ୍ଗାସାମୀଙ୍କୁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ କରିଥିଲା । ପରବର୍ତ୍ତୀ ସମୟରେ ସେ ୨୦୦୬ ନିର୍ବାଚନରେ ଏକ ଚମତ୍କାର ପ୍ରଦର୍ଶନ କରି ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଏଆଇଏନ୍ ଆର୍ ସି-ବିଜେପି ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ୨୦୨୬ ନିର୍ବାଚନରେ ଏନ୍. ରଙ୍ଗାସାମୀ ଥଟ୍ଟାଞ୍ଚାଭାଡି ଏବଂ ମଙ୍ଗଳମ୍ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି ।
ପୁଡୁଚେରୀ ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୋଟ୍ ୩୦ ଆସନ ଭିତରୁ ଏଆଇଏନଆରସିକୁ ୧୨ଟି ସିଟ୍ ମିଳିଥିବା ବେଳେ ବିଜେପିକୁ ୪ ଆସନ, ଡିଏମକେକୁ ୫, କଂଗ୍ରେସକୁ ଗୋଟିଏ ଏବଂ ଅନ୍ୟାନ୍ୟ ୮ଟି ଆସନରେ ବିଜୟୀ ହୋଇଛନ୍ତି । ତେବେ ସଂଖ୍ୟା ଗରିଷ୍ଠା ଦୃଷ୍ଟିକୁ ଏଆଇଏନ୍ ଆର୍ ସି-ବିଜେପି ମେଣ୍ଟ ଏଠାରେ ସରକାର ଗଠନ କରିଛି । ଆଜି ପଞ୍ଚମ ଥର ପାଇଁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନ. ରଙ୍ଗାସାମୀ ।
