
ପାଟଣାଗଡ଼,: ବାକ୍ଶକ୍ତିହୀନ ସମ୍ପର୍କୀୟ ଶାଳୀକୁ ନେଇ ଫେରାର ମାରୁଥିବା ବେଳେ ଜଙ୍ଗଲରେ ଘଟିଛି ଅଘଟଣ । ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଯାଇଛି ଭିଣୋଇ ଜୀବନ। ଶାଳୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ମହଦା ପାହାଡ଼ ପାଦଦେଶ ଅନ୍ଧାରୀ ଜଙ୍ଗଲରେ ଗତ ଗୁରୁବାର ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ୍(୪୫) । ଗୁରୁତର ଶାଳୀଙ୍କ ଘର ଗୁନଞ୍ଚାଡିହି ଅଞ୍ଚଳରେ ଏବଂ ତାଙ୍କ ବୟସ ୩୫ ବର୍ଷ । ଅଘଟଣ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶିକାରୀମାନେ ମୃତଦେହକୁ ପାହାଡ଼ ଖୋଲରେ ଫିଙ୍ଗି ଦେଇଥିଲେ । ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ଶବ ଜବତ କରିଛି ।ଉତ୍ତରପ୍ରଦେଶ ବାରାଣସୀର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିବା କ୍ଷେତ୍ର ୬ବର୍ଷ ତଳେ ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ(ଶାଳୀ)ଙ୍କ ବଡ଼ବାପାଙ୍କ ଝିଅକୁ ବିବାହ କରିଥିଲେ । ଏଥିପୂର୍ବରୁ ଗାଁର ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପ୍ରେମଜାଲରେ ଫସାଇ ବାହା ହୋଇଥିଲେ । କିନ୍ତୁ ସମ୍ପୃକ୍ତ ତିନିଜଣ ସ୍ତ୍ରୀଙ୍କ କୌଣସି ଖୋଜଖବର ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କ୍ଷେତ୍ରଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା । ଇତିମଧ୍ୟରେ କକା ଶ୍ୱଶୁରଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ପ୍ରେମ ଜାଲରେ ଫସାଇଥିଲେ କ୍ଷେତ୍ର ।ଗତ ଗୁରୁବାର ରାତିରେ ତାଙ୍କୁ ନେଇ ଜଙ୍ଗଲ ରାସ୍ତାରେ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅନ୍ଧାରୀ ଲାହେରଜୁରୀ ଗାଁ ଜଙ୍ଗଲ ଭିତରେ ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ଛନ୍ଦି ହୋଇଯାଇଥିଲେ କ୍ଷେତ୍ର । ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ଶାଳୀ ମଧ୍ୟ ଗୁରୁତର ହୋଇଥିଲେ । କୌଣସି ପ୍ରକାରେ ବିଦ୍ୟୁତ୍ ଫାଶରୁ ବର୍ତ୍ତିଯାଇ ସେ ପାଣ୍ଡେସର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମରେ ପହଞ୍ଚିଥିଲେ । ଫାର୍ମ କର୍ମଚାରୀ ଏବଂ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଯୁବତୀଙ୍କୁ ଘସିଏନ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।
ସକାଳୁ ଘଟଣାସ୍ଥଳକୁ ପୁଲିସ୍ ଯାଇଥିଲା । କିନ୍ତୁ ମୃତଦେହ ମିଳି ନ ଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହାୟତାରେ ଦିନତମାମ ଖୋଜାଖୋଜି କରିବା ପରେ ସନ୍ଧ୍ୟାରେ ଜଙ୍ଗଲର ଏକ ପଥର ଖୋଲରୁ କ୍ଷେତ୍ରଙ୍କ ଶବ ମିଳିଥିଲା । ଶିକାରୀମାନେ ପ୍ରମାଣନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହ ସେଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ ତାର ଫାଶରେ ପଡ଼ି କିଛିମାସ ତଳେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ପେସାଦାର ଶିକାରୀଙ୍କୁ ଗିରଫ କରିଥିଲା । ସେମାନେ ଜାମିନରେ ଆସିବା ପରେ ପୁଣି ଶିକାରରେ ମାତିଥିବା ଗ୍ରାମବାସୀ କହିଛନ୍ତି । ସେମାନେ ହିଁ ବିଦ୍ୟୁତ୍ ଫାଶ ବିଛାଇଥିବା ଚର୍ଚ୍ଚା ହେଉଛି ।




