‘ଶୀତଳ ଷଷ୍ଠୀ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର/ସମ୍ବଲପୁର: ‘ପବିତ୍ର ଶୀତଳ ଷଷ୍ଠୀ’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ ଓ ଭାଇମାନଙ୍କୁ ଭିଡିଓ ବାର୍ତ୍ତା ଯୋଗେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଓଡ଼ିଆ ଜାତିର ସଂସ୍କୃତି ହେଉଛି ଭାବ ଏବଂ ଭକ୍ତିର ସଂସ୍କୃତି । ଏଠାରେ ପ୍ରତିଟି ପରମ୍ପରା ପଛରେ ସମାଜ ମଙ୍ଗଳର ଏକ ମହାନ୍ ବାର୍ତ୍ତା ଲୁଚି ରହିଥାଏ । ଯେତେବେଳେ ପ୍ରଚଣ୍ଡ ଖରାରେ ଧରିତ୍ରୀ ଆକୁଳ ହୋଇଉଠେ, ସେତେବେଳେ ସଂସାରକୁ ସୁଖ ଓ ଶୀତଳତା ପ୍ରଦାନ କରିବାକୁ ପ୍ରଭୁ ଶିବ ନିଜେ ଆଗେଇ ଆସନ୍ତି । ସେପରି ଏକ ଅନନ୍ୟ ଆଧ୍ୟାତ୍ମିକ ଓ ସାମାଜିକ ପରମ୍ପରା ହେଉଛି ‘ପବିତ୍ର ଶୀତଳ ଷଷ୍ଠୀ’। ସେ ଏହି ପର୍ବର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ, ଶୀତଳ ଷଷ୍ଠୀର ସବୁଠାରୁ ବଡ଼ ସ୍ୱତନ୍ତ୍ରତା ହେଉଛି ଏହାର ‘ମାନବୀୟ ଲୀଳା’। ଯେଉଁଠି ସ୍ୱୟଂ ଭଗବାନ ଜଣେ ସାଧାରଣ ମଣିଷ ଭଳି ବରଯାତ୍ରୀ ନେଇ କନ୍ୟାପିତାଙ୍କ ଦୁଆରକୁ ଯାଆନ୍ତି। ଏହି ଉତ୍ସବରେ ଜଣେ ସାଧାରଣ ମଣିଷ ଭଗବାନଙ୍କ ଉପରେ ନିଜର ଅଧିକାର ଜାହିର୍ କରେ ଏବଂ ପ୍ରଭୁ ମଧ୍ୟ ଭକ୍ତର ଗୁହାରି ଶୁଣି ତା’ର ସୁଖ-ଦୁଃଖରେ ସାମିଲ ହୁଅନ୍ତି। ଏହି ପବିତ୍ର ଅବସରରେ ସମଗ୍ର ସମାଜ ସବୁ ଭେଦଭାବ ଭୁଲି ଏକାଠି ହୋଇଥାଏ, ଯାହା ଆମର ପାରିବାରିକ ଓ ସାମାଜିକ ସଂସ୍କାରକୁ ଯୁଗ ଯୁଗ ଧରି ମଜବୁତ କରି ରଖିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଶୀତଳ ଷଷ୍ଠୀ କେବଳ ଏକ ପର୍ବ ନୁହେଁ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଏବଂ ଭାବମୟ ପରିଚୟ । ଏହା ଆଧ୍ୟାତ୍ମିକତା, ଧର୍ମଧାରା ଓ ଲୋକ ସଂସ୍କୃତିର ବିରଳ ସମାହାର । ‘ଥାଲ ଉଠା’, ‘ପତର ପେଣ୍ଡି’, ‘ଗୁଆ ଗୁଣା’, ‘ଦେବ ନିମନ୍ତ୍ରଣ’, ‘ଦେବ ବିବାହ’ ଏବଂ ‘ନଗର ପରିକ୍ରମା’ ଭଳି ପ୍ରତ୍ୟେକଟି ପାରମ୍ପରିକ ରୀତିନୀତି ଏହି ପର୍ବକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ମାତା ପାର୍ବତୀ ଓ ପ୍ରଭୁ ଶିବଙ୍କର ଏହି ବିବାହ ପଛରେ ସମଗ୍ର ଜଗତର କଲ୍ୟାଣ ଚେତନା ରହିଛି । ଶୀତଳ ଷଷ୍ଠୀ ଆମ ଭାରତବର୍ଷର ‘ଇନଟାଞ୍ଜିବୁଲ୍ କଲଚୁରାଲ ହେରିଟେଜ’ର ଏକ ଭବ୍ୟ ରୂପ, ଯେଉଁଠି ବିଭିନ୍ନ ଲୋକକଳା, ସାଂସ୍କୃତିକ ବାଦ୍ୟ, ପାରମ୍ପରିକ ନୃତ୍ୟ ଏବଂ ଲୋକଗୀତର ଏକ ଅପୂର୍ବ ମହାସଙ୍ଗମ ଦେଖିବାକୁ ମିଳେ। ଭାରତ ସରକାର ଏହି ଅନନ୍ୟ ଲୋକ ସଂସ୍କୃତିକୁ ସମ୍ମାନ ଜଣାଇ ଏକ ସ୍ମାରକୀ ଡାକ ଟିକେଟ୍ ପ୍ରଚଳନ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ବାର୍ତ୍ତାରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଶୀତଳ ଷଷ୍ଠୀ ପ୍ରକୃତିକୁ ସୁରକ୍ଷା ଦେବାର ଏବଂ ପରିବେଶକୁ ସବୁଜ ସୁନ୍ଦର କରିବାର ଏକ ମହାନ ବାର୍ତ୍ତା ଦିଏ। ତେଣୁ ଏହି ପବିତ୍ର ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ‘ଏକ୍ ପେଡ୍ ମା’ କେ ନାମ’ ଅଭିଯାନରେ ସାମିଲ ହୋଇ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଏହି ଜଗତକୁ ସବୁଜିମାରେ ଶୀତଳ କରିବାର ସଂକଳ୍ପ ନେବା ଉଚିତ୍ । ଶୀତଳ ଷଷ୍ଠୀ ଯାତ୍ରାର ସାଂସ୍କୃତିକ ଭବ୍ୟତାକୁ ଆହୁରି ଆଗକୁ ନେବା ଏବଂ ଏହାର ‘ଜଗତ କଲ୍ୟାଣ’ ବାର୍ତ୍ତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିବା ସହ ‘ବିକଶିତ ସମ୍ବଲପୁର’ , ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ପାଇଁ ସମସ୍ତେ ମିଳିତ ପ୍ରୟାସ କରିବା ପାଇଁ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

ଶ୍ରୀ ପ୍ରଧାନ ଓଡ଼ିଶାର ଯୁବ ସମାଜକୁ ଆହ୍ୱାନ କରି କହିଛନ୍ତି ଯେ, ଆଜିର ଯୁବପିଢ଼ି ଶୀତଳଷଷ୍ଠୀକୁ ନେଇ ସୁନ୍ଦର ରିଲ୍ସ ଏବଂ ସୋସିଆଲ ମିଡିଆ ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ, ଯାହା ଦ୍ୱାରା ସାରା ବିଶ୍ୱରେ ଓଡ଼ିଶା ତଥା ସମ୍ବଲପୁରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଭବ ସହଜରେ ପରିଚିତ ହୋଇପାରିବ। ଶେଷରେ, ମହାଦେବ ଏବଂ ମାତା ପାର୍ବତୀଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ସଦାସର୍ବଦା ରହିଥାଉ ଏବଂ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିବା ସହ ‘ଓଁ ନମଃ ଶିବାୟ’ କହି ନିଜର ଅଭିଭାଷଣ ଶେଷ କରିଛନ୍ତି ।

  • Related Posts

    ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ…

    Continue reading
    ଆଜି ଠାରୁ ଖୋଲିଲା ସ୍କୁଲ

    ଭୁବନେଶ୍ବର: ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ପରେ ଆଜି ଠାରୁ ସ୍କୁଲ ଖୋଲିଛି । ମୌସୁମୀ ଆସିଥିଲେ ମଧ୍ୟ ଖରା ଓ ଗୁଳୁଗୁଳିର ପ୍ରକୋପ କମିନଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ