
କନ୍ଧମାଳରେ ସମାଜସେବା ଓ ମାନବିକତା କ୍ଷେତ୍ରରେ ଅବଦାନ ପାଇଁ ମିଳିଲା ସ୍ୱୀକୃତି
ରାଇକିଆ: କନ୍ଧମାଳ ଜିଲ୍ଲାର ଅସହାୟ, ଦିବ୍ୟାଙ୍ଗ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ସହାୟତା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ’ (ସ୍ୱାକ୍)କୁ ‘ଶ୍ରେଷ୍ଠ ମାନବିକତା ପୁରସ୍କାର–୨୦୨୬’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ସଂଗଠନର ସମାଜସେବାମୂଳକ କାର୍ଯ୍ୟକୁ ନୂତନ ସ୍ୱୀକୃତି ଦେବା ସହ କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛି।ଗତ ୧୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ଓଡ଼ିଶାର ଅଗ୍ରଣୀ ପାକ୍ଷିକ ସମ୍ବାଦପତ୍ର ତଥା ଡିଜିଟାଲ୍ ଚ୍ୟାନେଲ୍ ‘ପ୍ରତିଶବ୍ଦ’ର ଏକାଦଶ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ମାନବିକତା, ଜନକଲ୍ୟାଣ, ସେବା ଓ ସହଯୋଗ କ୍ଷେତ୍ରରେ ‘ସ୍ୱାକ୍’ର କାର୍ଯ୍ୟକୁ ବିଚାରକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଉତ୍ସବରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଏବଂ ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢାଲି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ‘ପ୍ରତିଶବ୍ଦ’ର ସମ୍ପାଦକ ଜିତେନ୍ଦ୍ର କୁମାର ପତି, ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡଃ କାଳୀଚରଣ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶିଷ୍ଟ ଅତିଥି ଏହି ସମାରୋହରେ ଉପସ୍ଥିତ ଥିଲେ।ଏହି ଅବସରରେ ‘ସ୍ୱାକ୍’ର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ଗୋଲକ ଚନ୍ଦ୍ର ପଟ୍ଟନାୟକ, ସମୀର କୁମାର ପାଢ଼ୀ, ସଂଗଠନର ସଭାପତି ଅମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ, ଉପସଭାନେତ୍ରୀ ସସ୍ମିତା ମଲ୍ଲିକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଏବଂ ସଦସ୍ୟ ମିନାକ୍ଷୀ ପ୍ରଧାନ, ମିହିରକାନ୍ତ ଦିଗାଲ ଓ ମନୋଜ କୁମାର ଦିଗାଲ ଉପସ୍ଥିତ ରହି ସଂଗଠନ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ।ଏହି ସଫଳତାକୁ ନେଇ ‘ସ୍ୱାକ୍’ ପରିବାର ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସଂଗଠନର କାର୍ଯ୍ୟକ୍ରମ ଓ ସମାଜସେବାର ବିଭିନ୍ନ ପଦକ୍ଷେପରେ ସହଯୋଗ କରୁଥିବା ଜନସାଧାରଣ, ଶୁଭେଚ୍ଛୁ ଓ ସହଯୋଗୀଙ୍କ ଅବଦାନକୁ ଏହି ସଫଳତାର ଅଂଶ ଭାବେ ଗ୍ରହଣ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ପୁରସ୍କାର କେବଳ ସଂଗଠନର ନୁହେଁ, ବରଂ ସମାଜସେବାର ପ୍ରତ୍ୟେକ ପଦକ୍ଷେପରେ ସହଯୋଗର ହାତ ବଢ଼ାଉଥିବା ସମସ୍ତ ଶୁଭେଚ୍ଛୁ ଓ ସହଯୋଗୀଙ୍କର ମଧ୍ୟ।ସଂଗଠନର ମତରେ, ଜନସାଧାରଣଙ୍କ ବିଶ୍ୱାସ ଓ ସହଯୋଗ ସମାଜସେବା କାର୍ଯ୍ୟକୁ ଆଗକୁ ନେବାରେ ପ୍ରମୁଖ ପ୍ରେରଣା। ଅସହାୟ ଓ ଅବହେଳିତ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହାୟତା କରିବା ସହ ସମାଜରେ ସହାନୁଭୂତି, ସହଯୋଗ ଓ ମାନବିକତାର ଭାବନାକୁ ସୁଦୃଢ଼ କରିବା ହେଉଛି ସଂଗଠନର ମୁଖ୍ୟ ଲକ୍ଷ୍ୟ।‘ସେବା ହିଁ ଆମର ସଂକଳ୍ପ, ମାନବିକତା ହିଁ ଆମର ପରିଚୟ’ ମୂଳମନ୍ତ୍ରକୁ ଆଧାର କରି ‘ସ୍ୱାକ୍’ ଆଗାମୀ ଦିନରେ ମଧ୍ୟ କନ୍ଧମାଳ ଜିଲ୍ଲାର ଅସହାୟ ଓ ଅବହେଳିତ ଲୋକଙ୍କ ସେବାରେ ନିଜର ପ୍ରୟାସ ଜାରି ରଖିବା ସହ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତାକୁ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







