
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଢୁଛି ଗିରଫଦାରୀଙ୍କ ସଂଖ୍ୟା। ଗୁରୁବାର ସକାଳେ ରାଜଧାନୀ ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲ ‘ରେଗାଲ ଷ୍ଟେ’ରୁ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ। ପୂର୍ବରୁ ଏଥିରେ ୧୧ ଜଣଙ୍କୁ ପୁଲିସ ଓ ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏଥିରେ ମୋଟ ୧୭ ଜଣ ଗିରଫ ହେଲେ। ଘଟଣାର ତଦନ୍ତ ଜାରି ରହିଛି।
ସୂଚନାନୁଯାୟୀ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଥିଲେ। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଥିଲା।


