
ଭୁବନେଶ୍ୱର: ସମୟ ପୂର୍ବାହ୍ନ 11.43…ହଠାତ୍ ଥରି ଉଠିଲା ମୋବାଇଲ । କିଏ ମୋବାଇଲରେ ଫେସବୁକ ଚଲାଉଥିଲା ତ ଆଉ କିଏ ହ୍ବାଟ୍ସଆପରେ ନିଜ ବନ୍ଧୁଙ୍କ ସହ ଚାଟିଂ କରୁଥିଲା । ହଠାତ୍ ମୋବାଇଲ ଥରିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ ସଭିଏଁ । ତେବେ ଭୟଭୀତ ହୁଅନ୍ତୁ ନାହିଁ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ପଠାଯାଇଥିବା ଏକ ଟେଷ୍ଟ ମେସେଜ ଅଟେ । ଆଜି ସାରା ଦେଶରେ NDMA ୱେୟାରଲେସ୍ ଏମରଜେନ୍ସି ଆଲର୍ଟ ସିଷ୍ଟମର ଯାଞ୍ଚ କରାଯାଇଛି ।
ଦେଶର ନାଗରିକମାନଙ୍କୁ ଦୁର୍ଘଟଣା ସମୟରେ ତୁରନ୍ତ ସତର୍କ କରିବା ପାଇଁ ଭାରତ ସରକାର ନିଜସ୍ୱ (ଇଣ୍ଡିଜେନସ୍) ପ୍ରଯୁକ୍ତିରେ ତିଆରି ‘ସେଲ୍ ବ୍ରଡକାଷ୍ଟ’ ମେସେଜିଂ ସିଷ୍ଟମ୍ ଆରମ୍ଭ କରିଛି । ଶନିବାର ପ୍ରାୟ ପୂର୍ବାହ୍ନ ୧୧ଟା ୪୩ମିନିଟ୍ ସମୟରେ କେନ୍ଦ୍ର ସରକାର ଦେଶର ପ୍ରାୟ ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଏକ ପରୀକ୍ଷାମୂଳକ ସନ୍ଦେଶ ପଠାଇ ଥିଲେ । ଏହା ମାଧ୍ୟମରେ ସିଷ୍ଟମ୍ର କାର୍ଯ୍ୟକ୍ଷମତା ପରୀକ୍ଷା କରାଯାଇଛି ।
“ଭାରତ ସରକାର ନିଜସ୍ୱ ପ୍ରଯୁକ୍ତିରେ ସେଲ୍ ବ୍ରଡକାଷ୍ଟ ସିଷ୍ଟମ୍ ଆରମ୍ଭ କରିଛନ୍ତି, ଯାହା ଦୁର୍ଘଟଣା ସମୟରେ ନାଗରିକଙ୍କୁ ତୁରନ୍ତ ସତର୍କ କରିବ । ସୁରକ୍ଷିତ ନାଗରିକ, ସୁରକ୍ଷିତ ଦେଶ । ଏହା ଏକ ପରୀକ୍ଷାମୂଳକ ସନ୍ଦେଶ, ଏଥିପାଇଁ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟକରଣୀୟ ନାହିଁ।”ଏହି ସେବା ମାଧ୍ୟମରେ ଭବିଷ୍ୟତରେ ଭୂକମ୍ପ, ବନ୍ୟା, ଘୂର୍ଣ୍ଣିବାତ୍ୟା ଭଳି ଆପଦ ସମୟରେ ସମସ୍ତ ମୋବାଇଲ୍ ୟୁଜରଙ୍କୁ ଏକ ସମୟରେ ତୁରନ୍ତ ସତର୍କ ସନ୍ଦେଶ ପଠାଯିବ ।


