
କଣାସ: ଗତ ରାତିରୁ ହୁତୁହୁତୁ ହେଇ ଜଳୁଛି ଚିଲିକା ନଳବଣ । ଚାରିଆଡେ ଧୂଆଁମୟ ପରିବେଶ । ନିଆଁ ଏତେ ଜୋର ଜଳୁଛି ଯେ କୌଣସି ମତ୍ସ୍ୟଜୀବୀ ଭିତରେ ପଶି ନିଆଁ ଲିଭାଇବାକୁ ସାହସ ଜୁଟାଇ ପାରୁନାହାନ୍ତି । କେମିତି ନିଆଁ ଲାଗିଛି କେହି କହି ପାରୁନାହାନ୍ତି । ପ୍ରାୟ ୧ କିମି ଅଞ୍ଚଳ ଜଳି ପାଉଁଶ ହୋଇଗଲାଣି । ତଥାପି ନିଆଁ ଆୟତ୍ତ ହୋଇପାରିନି । ନଳବଣ ଜଳିବା ଖବର ଜଣାପଡ଼ିବା ପରେ କଣାସ ଓ ଟାଙ୍ଗୀ ଅଗ୍ନିଶମ ବିଭାଗ କର୍ମଚାରୀ ଭୂଷଣ୍ଡପୁରସ୍ଥିତ ବାଲିପାଟପୁରଠାରୁ ଡଙ୍ଗା ଯୋଗେ ଚିଲିକା ଭିତରକୁ ଯାଇଥିଲେ । ଅକ୍ଲାନ୍ତ ପରିଶ୍ରମ କରି ନଳବଣ ଭିତରେ ପଶି ପାଣି ମାଡ଼କରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।
ନଳବଣ ପକ୍ଷୀ ଅଭୟାରଣ୍ୟ ଭାବେ ଏସିଆ ମହାଦେଶର ପରିଚିତ । ନଳବଣ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ଏବେ ଅଗ୍ନିକାଣ୍ଡ ଘଟି ଶ୍ରୀହୀନ ହେଇଯାଇଛି । ଚିଲିକାରେ ଥିବା ପକ୍ଷୀମାନେ ଏବେ ଭୟଭୀତ । ସେମାନଙ୍କ ବାସସ୍ଥାନ ପୋଡ଼ି ଯାଇଥିବାରୁ ପକ୍ଷୀମାନେ ଏଣେ ତେଣେ ଉଡ଼ିବୁଲୁଛନ୍ତି । କେହି ଦୁର୍ବୃତ୍ତ ମାଛ ଧରିବା ପାଇଁ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଯାହା ସୂଚନା ମିଳୁଛି ନଳବଣ ଭିତରେ କିଛି ଖାଲ ଜାଗା ରହିଛି । ତା ଭିତରୁ ମାଛ ମାରିବା ପାଇଁ ନିଆଁ ଲଗାଇଛନ୍ତି । ମାଛ ଧରିବା ପାଇଁ ଭିତରକୁ ଡଙ୍ଗା ପଶିବନି । ତେଣୁ ନଳବଣକୁ ନଷ୍ଟ କରିଦେଲେ ଡଙ୍ଗା କାତ ମାରି ଭିତରକୁ ନେଇହେବ ଓ ସହଜରେ ମାଛ ଧରି ହେବ । ତେଣୁ ମାଛ ଧରାଳିମାନେ କପଡ଼ାରେ କିରାସିନି ଢାଳି ନିଆଁ ଲଗାଇ ବଣ ଭିତରକୁ ପକାଇ ଦେଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଟାଙ୍ଗୀ ୱାଇଲ୍ଡ ଲାଇଫ ରେଞ୍ଜର ଚିତ୍ରସେନ ଜେନା ।
ନଳବଣ ଜଳିବା ଦ୍ୱାରା ପରିବେଶ ନଷ୍ଟ ହେବା ସହ ଜଳଚର ପ୍ରାଣୀ ଓ ପକ୍ଷୀମାନେ ପ୍ରଭାବିତ ହେଇଛନ୍ତି । ନିଆଁ କିଏ ଲଗାଇଛି ତଦନ୍ତ ଚାଲିଛି । ଦୁର୍ବୃତ୍ତମାନଙ୍କ ବିରୋଧରେ ସୂଚନା ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଞ୍ଜର ଶ୍ରୀ ଜେନା କହିଛନ୍ତି । ସେପଟେ କଣାସ ଅଗ୍ନିଶମ ଅଧିକାରୀ ରଘୁନାଥ ସାହୁ କହନ୍ତି ଆମେ ନିଆଁ ଲିଭାଇ ଆସିଛୁ । ଆଉ କିଛି ରହି ଯାଇଛି । ରାତି ହେବାରୁ ପଳେଇଥିଲୁ । ଆଜି ପୁଣି ନଳବଣରେ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଛି।



