
ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ‘ଓ୍ୱାନ ନେସନ୍ ଓ୍ୱାନ୍ ଇଲେକ୍ସନ୍’ ବିଲ୍ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ ଆକ୍ସନ ମୁଡ୍କୁ ଆସିଛି ବିଜେପି। ସାଂସଦମାନଙ୍କୁ ଦଳ ନୋଟିସ୍ ଜାରି କରିଛି।
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ସରକାର ମଙ୍ଗଳବାର ସଂସଦରେ ‘ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ୨୦୨୪’ ଏବଂ ୟୁନିଅନ୍ ଟେରିଟୋରୀ ଆଇନ (ସଂଶୋଧନ) ବିଲ୍ ୨୦୨୪ ଆଣିଥିଲେ। ବିଜେପି ସାଂସଦମାନଙ୍କୁ ପୂର୍ବରୁ ଲୋକସଭାରେ ଉପସ୍ଥିତ ରହିବା ପାଇଁ ତିନି ଲାଇନ୍ର ହ୍ୱିପ୍ ଜାରି କରିଥିଲା। ତେବେ ଏହା ସତ୍ତ୍ୱେ ବି ‘ଓ୍ୱାନ ନେସନ୍ ଓ୍ୱାନ୍ ଇଲେକ୍ସନ୍’ ବିଲ୍ ଆଗତ ପାଇଁ ଭୋଟିଂ ବେଳେ ୨୦ରୁ ଅଧିକ ସାଂସଦ ଉପସ୍ଥିତ ନଥିଲେ। ମୋଦି କ୍ୟାବିନେଟ୍ରେ ସାମିଲ ତିନି ଜଣ ବଡ଼ ମନ୍ତ୍ରୀ ନୀତିନ ଗଡକରୀ, ଗିରିରାଜ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟ ଦେଖା ନଥିଲା।ତେବେ ଅନୁପସ୍ଥିତ ଥିବା ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ବିଜେପି ନୋଟିସ୍ ଜାରି କରିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନେକ ସାଂସଦ ପୂର୍ବରୁ ଗୃହକୁ ଆସିପାରିବେ ନାହିଁ ବୋଲି ଦଳକୁ ସୂଚିତ କରିଥିବା ଜଣାପଡିଛି।




