
ଭୁବନେଶ୍ୱର : ଆକାଶରୁ ଅଗ୍ନି ବର୍ଷା। ନିଆଁ ହୁଳା ମାଡ଼ ହେବା ଭଳି ଯନ୍ତ୍ରଣା। ତାତି ଯେତିକି ପ୍ରଚଣ୍ଡ , ଗୁଳଗୁଳି ବି ସେତିକି ଭୀଷଣ । ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ। ଝାରସୁଗୁଡ଼ାରେ ଏପ୍ରିଲ ମାସର ରେକର୍ଡ ଭାଙ୍ଗିଛି ତାତି । ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଉପକୂଳରେ ତାତି କମ୍ ଥିଲା ସତ, କିନ୍ତୁ ଅଧିକ ଆର୍ଦ୍ରତା ପାଇଁ ତାତି ୪୫ରୁ ୫୦ ଡିଗ୍ରୀ ଭଳି ଅନୁଭବ ହେଉଥିଲା । ଆସନ୍ତା ୨୭ ତାରିଖରୁ କାଳବୈଶାଖୀ ବର୍ଷା ଯୋଗୁ ଅଗ୍ନିବର୍ଷାରେ ବିରାମ ଲାଗିବ । ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ୨୭ରୁ କାଳବୈଶାଖୀ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଉପକୂଳ ଜିଲ୍ଲାରେ ବର୍ଷା ଅଧିକ ହେବାର ସମ୍ଭାବନା ଅଛି । ଭଦ୍ରକ ଓ ଗଞ୍ଜାମର ସଂଲଗ୍ନ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ୨୭ ତାରିଖରୁ ନେଇ ମେ ୪ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ । ତେବେ ୨୮ରୁ ୧ ତାରିଖ ଭିତରେ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ବର୍ଷା ଯୋଗୁ ୨୭ରୁ ତାପମାତ୍ରା କମିଯିବ । ୨୯ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୫ରୁ ୬ ଡିଗ୍ରୀ କମିଯିବ । ରାଜଧାନୀରେ ତାତି ୩ ଡିଗ୍ରୀ କମିବ ।
ଏବେ ରାଜ୍ୟର ଉପକୂଳ ଜିଲ୍ଲାରେ ବଙ୍ଗୋପସାଗରୀୟ ଦକ୍ଷିଣ-ପଶ୍ଚିମା ପବନ ବହୁଛି । ପଶ୍ଚିମ ଓଡ଼ିଶାରେ ପଶ୍ଚିମା ଶୁଷ୍କ ପବନ ବହୁଛି । ୨୭ ତାରିଖରୁ ପବନର ଦିଗ ବଦଳିବ । ରାଜ୍ୟରେ ପୂର୍ବା ପବନ ବହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଏବେ ୨୬ତାରିଖ ଯାଏ ତାତି ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ସମସ୍ତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା, ଢେଙ୍କାନାଳ, ଅନୁଗୁଳ, ଆଭ୍ୟନ୍ତରୀଣ ଗଞ୍ଜାମ ଓ କଟକର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହିବ । ଆଉ କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିବ ବୋଲି ସେ କହିଛନ୍ତି । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୩ ତାରିଖ(ବୁଧବାର) ଝାରସୁଗୁଡ଼ାରେ ଭୀଷଣ ଗରମ ସ୍ଥିତି ରହିବ । ଝାରସୁଗୁଡ଼ା ସମେତ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହିପାରେ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଗରମ ସହିତ ଗୁଳଗୁଳି ଅନୁଭୂତ ହୋଇପାରେ । ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତି ବେଳା ପ୍ରବଳ ଗରମ ଅନୁଭବ ହେବ । ୨୪ରୁ ୨୬ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।








