
ନୂଆଦିଲ୍ଲୀ : ଆତଙ୍କବାଦୀ ଷଡ଼ଯନ୍ତ୍ର ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ। ଜାମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ଏନଆଇଏର ସର୍ଚ୍ଚ ଅପରେସନ। ସୋମବାର ୫ଟି ରାଜ୍ୟର ପ୍ରାୟ ୨୨ଟି ଠିକଣାରେ ଏନଆଇଏ ରେଡ୍ କରିଛି। ଆତଙ୍କୀ ଷଡ଼ଯନ୍ତ୍ର ସହ ଜଡ଼ିତ ଏକ ମାମଲାରେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ଏନଆଇଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜାମ୍ମୁ କାଶ୍ମୀରର ବାରାମୁଲା, କୁଲଗାମ, ଅନନ୍ତନାଗ ଓ ପୁଲୱାମା ଜିଲ୍ଲାରେ ସର୍ଚ୍ଚ ଅପରେସନ ଚାଲିଛି। ବାରାମୁଲାର ଗଙ୍ଗମ ଗାଁର ରଶୀଦ ଲୋନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଛି। ବହୁ ସ୍ଥାନରୁ ମୋବାଇଲ୍ ଫୋନ ଓ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଛି। ଏହା ପୂର୍ବରୁ ଜୁନ ମାସରେ ଏନଆଇଏ ଜାମ୍ମୁ କାଶ୍ମୀରର ୩୨ଟି ସ୍ଥାନରେ ଚଢାଉ କରାଯାଇଥିଲା। ଅପରପକ୍ଷରେ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ। ତେଣୁ ପିଏମ୍ଙ୍କ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ବାବଦରେ ଏନଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ସେପଟେ ବିହାରରେ ଏନଆଇଏ ଟିମ୍କୁ ସଫଳତା ମିଳିଛି। ଜଣେ ଖଲିସ୍ତାନୀ ଆତଙ୍କବାଦୀ ଶରଣଜିତଙ୍କୁ ଗିରଫ କରାଯାଇଛି। ସ୍ଵର୍ଣ୍ଣ ମନ୍ଦିରରେ ଗ୍ରେନେଡ୍ ଆକ୍ରମଣ ମାମଲାରେ ଅଭିଯୁକ୍ତ ହେଉଛି ଶରଣଜିତ୍ କୁମାର।




