୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର; ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ ସେବାରୁ ବଞ୍ଚିତ ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଭାରତ ନିଧି ବା ଡିବିଏନ ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ହେବ । ଏଥିପାଇଁ ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦୁଝର ଗ୍ରାମ୍ୟ ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ମୃତ ଭଉଣୀର ସ୍କେଲିଟନ ଧରି ବ୍ୟାଙ୍କରେ ପହଁଚିଥିଲେ ଜିତୁ ମୁଣ୍ଡା । ଏହି ଘଟଣା ସାରା ଦେଶକୁ ବିଚଳିତ କରିଥିଲା । ଏହି ଘଟଣା ପାଇଁ ଅନ୍ୟତମ କାରଣ ଇଣ୍ଟରନେଟ ସଂଯୋଗ ବିଭ୍ରାଟ ବୋଲି ଜଣାପଡିଥିଲା । କେବଳ କେନ୍ଦୁଝର ନୁହେଁ ରାଜ୍ୟର ବହୁ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟର ସମସ୍ୟା ଥିବା ଜଣାପଡିଥିଲା । ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ ସେବାରୁ ବଞ୍ଚିତ ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଥିଲେ । ଏହି କ୍ରମରେ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏହି ପଦକ୍ଷେପ ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ଦୁର୍ଗମ ଓ ସେବା ବଞ୍ଚିତ ଅଞ୍ଚଳରେ ମୋବାଇଲ ସଂଯୋଗ ବିସ୍ତାର ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରୟାସ ଚଳାଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବାବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି । ପ୍ରକଳ୍ପର ତାଲିକାରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରାଧାନ୍ୟ ପାଇଛି । ଏହି ସବୁ ଅଞ୍ଚଳର ଅନେକ ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ସିଗ୍ନାଲ ଦୁର୍ବଳ କିମ୍ବା ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିବାରୁ ଲୋକମାନେ ସାଧାରଣ ଯୋଗାଯୋଗ ଠାରୁ ଆରମ୍ଭ କରି ଅନଲାଇନ୍ ସେବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ‘ନୋ ଅବଜେକ୍ସନ ସାର୍ଟିଫିକେଟ’ ବା ଏନଓସି ଜାରି କରିବାକୁ କୁହାଯାଇଛି । ଏହା ଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ । କେତେକ ଜିଲ୍ଲାର ସକ୍ରିୟ ଉଦ୍ୟମ ଫଳରେ ୨୯୪ଟି ସ୍ଥାନ ପାଇଁ ଏନଓସି ପୂର୍ବରୁ ଜାରି ହୋଇସାରିଛି । ଫଳରେ ସେହି ସ୍ଥାନଗୁଡ଼ିକରେ ଟାୱାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଅବଶିଷ୍ଟ ୭୦୭ଟି ସ୍ଥାନରେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ସରକାର ‘ମୋଷ୍ଟ ଅର୍ଜେଣ୍ଟ’ ଭିତ୍ତିରେ ନିର୍ଦ୍ଦେଶ ଜାରି କରିଛନ୍ତି ।

ପ୍ରକଳ୍ପ ସଫଳ ହେଲେ ରାଜ୍ୟର ହଜାର ହଜାର ଗ୍ରାମବାସୀ ପ୍ରଥମ ଥର ପାଇଁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ ସେବାର ସୁବିଧା ପାଇବେ । ଏହା ଦ୍ୱାରା ଅନଲାଇନ ଶିକ୍ଷା, ଟେଲିମେଡିସିନ, ଡିଜିଟାଲ ବ୍ୟାଙ୍କିଂ, ଇ-ଗଭର୍ନାନ୍ସ ସେବା ଏବଂ ଜରୁରୀକାଳୀନ ସଂଯୋଗ ବ୍ୟବସ୍ଥା ଅଧିକ ସୁଲଭ ହେବ । ସେହିପରି ଦୁର୍ଗମ ଅଞ୍ଚଳ ଓ ମୁଖ୍ୟଧାରା ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ କମାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ସାରା ରାଜ୍ୟରେ ଡିଜିଟାଲ ଭିତ୍ତିଭୂମି ବିସ୍ତାର ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ୭୦୭ଟି ନୂଆ ୪ଜି ଟାୱାର ସ୍ଥାପନ ନିଷ୍ପତ୍ତିକୁ ଏକ ବଡ଼ ଓ ଦୂରଦର୍ଶୀ ପଦକ୍ଷେପ ଭାବେ ଦେଖାଯାଉଛି । ଏହା କେବଳ ଟେଲିକମ ସେବା ବିସ୍ତାରରେ ସୀମିତ ରହିବ ନାହିଁ । ବରଂ ଗ୍ରାମୀଣ ଅର୍ଥନୀତି, ଶିକ୍ଷା ଓ ପ୍ରଶାସନିକ ସେବାକୁ ମଧ୍ୟ ନୂଆ ଗତି ପ୍ରଦାନ କରିବ ।

  • Related Posts

    ‘ଶୀତଳ ଷଷ୍ଠୀ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର/ସମ୍ବଲପୁର: ‘ପବିତ୍ର ଶୀତଳ ଷଷ୍ଠୀ’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ…

    Continue reading
    ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ