
ପୁରୀ: ଆଜି ହେଉଛି ପବିତ୍ର ମହାଳୟା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ବର୍ଗପ୍ରାପ୍ତି ହେବା ସହ ମୋକ୍ଷ ପ୍ରାପ୍ତି ହେବାର ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏଥିପାଇଁ ସକାଳୁ ସକାଳୁ ହଜାର ଶ୍ରଦ୍ଧାଳୁ ପୁରୀ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୀମନ୍ଦିର ଉତ୍ତର ଦ୍ଵାର, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି ପରିଜନ ।ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ସୂର୍ୟ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ । ତେବେ ଏହି ପକ୍ଷର ଶେଷ ଦିନକୁ ମହାଳୟା କୁହାଯାଏ ।ଶ୍ରୀମନ୍ଦିରର ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ପାଇଁ ଶ୍ରୀମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ତିଥିରେ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହାଛଡ଼ା ପିତୃପକ୍ଷ ତିଥିରେ ପିଣ୍ତଦାନ କରିପାରିନଥିବା ଶ୍ରଦ୍ଧାଳୁ ମାନେ ଆଜି ପିଣ୍ତଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି ।ତେବେ ମହାଳୟା ଅମାବାସ୍ୟା ଏହାର ଅନ୍ତିମ ତିଥି ହୋଇଥିବାରୁ ଏହି ଦିନ ପିଣ୍ତଦାନ କଲେ ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏଣୁ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏହି ପିଣ୍ତଦାନ କରି ନିଜକୁ ଧନ୍ୟ ମନେ କରନ୍ତି । ମହାଳୟାକୁ ଓଡ଼ିଆଙ୍କ ଘରେ ଘରେ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । ବିଶେଷ କରି ପିତୃ ପୁରୁଷଙ୍କୁ ସ୍ମରଣ କରିବାର ଏହି ବିଶେଷ ତିଥି ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି ।ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଆସିଥିବା କୃଷ୍ଣଚନ୍ଦ୍ର ରଥ କୁହନ୍ତି, ‘ମହାଳୟା ହେଉଛି ଏକ ସ୍ବତନ୍ତ୍ର ଦିବସ । ଏହି ଦିନ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ନିଜର ତିନି ପୁରୁଷଙ୍କୁ ଆଜି ପିଣ୍ଡଦାନ କରାଯାଏ । ନିଜ ପିତୃପୁରୁଷଙ୍କୁ ଶାନ୍ତି ପାଇଁ ଓ ନିଜ ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ କରାଯାଏ । ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମକୁ ସାରା ଭାରତରୁ ଶ୍ରଦ୍ଧାଳୁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥାଆନ୍ତି ।’








