
ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦୦ରୁ ଅଧିକ ଆହତ ହୋଇଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା । ଏହାର ଗଭୀରତା ୮ କିଲୋମିଟର ଥିଲା । ଏହା ରବିବାର ସ୍ଥାନୀୟ ସମୟ ରାତି ୧୨:୪୭ରେ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା ।
ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ଆନାଡୋଲୁ ଏଜେନ୍ସି କହିଛି, ୮୦୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଯେଉଁଥିରେ କୁନାର ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ, ନାଙ୍ଗରହାର ଜନସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ନକିବୁଲ୍ଲା ରହିମି କହିଥିଲେ ଯେ, ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ପ୍ରାୟ ୨୦ ମିନିଟ୍ ପରେ ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦ କିଲୋମିଟର ଥିଲା।ଭୂମିକମ୍ପ ଯୋଗୁଁ ପୂର୍ବ ଆଫଗାନିସ୍ତାନରେ କିଛି ସେକେଣ୍ଡ ପାଇଁ କୋଠା ଗୁଡ଼ିକ ଦୋହଲି ଥିଲା । ସେହି ସମୟରେ, ଭୂମିକମ୍ପ ଆଫଗାନିସ୍ତାନରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ଥିବା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ମଧ୍ୟ ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପ ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାତି ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଥିଲେ।