
ଭୁବନେଶ୍ୱର: ଜଳାଇବ ମାର୍ଚ୍ଚରୁ ମେ’ ଖରା । କଲବଲ କରିବ ଜନଜୀବନକୁ । ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବ । ବଡ଼ କଥା ହେଲା, ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ ଦେଖାଇଛି ।
ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ସମ୍ଭାବ୍ୟ ପାଣିପାଗକୁ ନେଇ ଆଇଏମ୍ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ୟ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ ।
ଆଇଏମ୍ଡି ଜାରି କରିଥିବା ସମ୍ଭାବ୍ୟ ପୂର୍ବାନୁମାନ ଚିତ୍ର ଅନୁସାରେ ମାର୍ଚ୍ଚରୁ ହିଁ ଗରମ ପ୍ରକୋପ ଦେଖାଇବ ଓଡ଼ିଶାରେ । ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ରାତିରେ ବି ଗରମ ବଢ଼ିବ । ବିଶେଷ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନଭୂତ ହେବା ଆଶଙ୍କା ରହିଛି । ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ପାଣିପାଗ ଏ ବର୍ଷ ପୁଣି ଉତ୍ତପ୍ତ ରହିବ । ରାଜ୍ୟ ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ଏ ପ୍ରକୋପ ବେଶି ହେବ । ରାତିବେଳା ବି ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହ ଏ ବର୍ଷ ବି କଲବଲ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲମ୍ବା ଓ ସାଂଘାତିକ ଗ୍ରୀଷ୍ମ ଲହରୀ ଛଟପଟ କରିପାରେ । କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ଲହରୀ ପ୍ରବାହିତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏ ବର୍ଷ ମାର୍ଚ୍ଚରେ ରାଜ୍ୟରେ କିଛି ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉତ୍ତରରେ କିଛି ବର୍ଷା ଥିବାବେଳେ ଉପକୂଳରେ ବି ହାଲୁକା ବର୍ଷା ହୋଇପାରେ । ରାଜ୍ୟରେ ବର୍ତ୍ତମାନ ଖରା ପ୍ରକୋପ ବଢ଼ିବା ସହ ଗରମ ବଢ଼ିଛି ।