
ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର ବଦଳି ନୀତି ଓ ୨୦୨୪ ନଭେମ୍ବର ୧୨ତାରିଖରେ ସଂଶୋଧିତ ବଦଳି ନୀତିରେ ଆମୂଳଚୂଳ ପରିବର୍ତ୍ତନ କରି ଆଜି ବ୍ୟାପକ ସଂଶୋଧିତ ବଦଳି ନୀତି ଜାରି କରିଛି ରାଜ୍ୟ ପୂର୍ତ୍ତ ବିଭାଗ। ନୂଆ ନିୟମ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହେବ।
୧୦ରୁ ୧୫ବର୍ଷ ଧରି ଧରି ଗୋଟିଏ ରାଜସ୍ୱ ଜିଲ୍ଲାରେ ରହୁଥିବା ଇଞ୍ଜିନିୟରମାନେ ଏଣିକି ସର୍ବାଧିକ ୬ବର୍ଷ ରହିପାରିବେ। ସେହିପରି ଅନ୍ୟ ବିଭାଗ ବା ସଂସ୍ଥାକୁ ଡେପୁଟେସନରେ ଯିବା ଅବଧିକୁ ସର୍ବାଧିକ ୭ବର୍ଷକୁ ହ୍ରାସ କରାଯାଇଛି, ଯାହାକି ସର୍ବାଧିକ ୧୦ବର୍ଷ ରହିଥିଲା। ନୂଆ ନିୟମ ଅନୁସାରେ ଇଞ୍ଜିନିୟର ଇନ୍ ଚିଫ୍ (ଇଆଇସି) ପାହ୍ୟାର ଅଧିକାରୀମାନଙ୍କ ବଦଳି ସିଧାସଳଖ ସରକାରଙ୍କସ୍ତରରେ କରାଯିବ। ଅନ୍ୟ ଇଞ୍ଜିନିୟରିଂ ଅଧିକାରୀଙ୍କ ବଦଳି ସୁପାରିଶ ପାଇଁ ପୂର୍ବର ୩ଟି କମିଟି ପରିବର୍ତ୍ତେ ମାତ୍ର ୨ଟି ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି ଗଠନ କରାଯାଇଛି, ଯେଉଁଥିରେ ସରକାରୀ ସ୍ତରର କମିଟିର ଅଧ୍ୟକ୍ଷତା ପ୍ରମୁଖ ସଚିବ କରିବେ ଓ ଚିଫ୍ ଇଞ୍ଜିନିୟରସ୍ତରର କମିଟିର ଅଧ୍ୟକ୍ଷତା ସିଧାସଳଖ ଇଆଇସି(ସିଭିଲ) କରିବେ।
ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ପୂର୍ବର ସମସ୍ତ ନିର୍ଦ୍ଦେଶନାମାକୁ ଉଚ୍ଛେଦ କରି ଏହି ନୂଆ ବିଜ୍ଞପ୍ତି ଜାରି ହୋଇଛି। ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକ୍ରମେ ଏଣିକି ଉଭୟ ଓଇଏସ ଓ ଓଡିଇଏସ କ୍ୟାଡରର ଇଞ୍ଜିନିୟରମାନେ ଗୋଟିଏ ରାଜସ୍ୱ ଜିଲ୍ଲାରେ ସର୍ବାଧିକ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। ଯାହାକି ପୂର୍ବରୁ ଓଇଏସଙ୍କ ପାଇଁ ୧୦ବର୍ଷ ଓ ଓଡ଼ିଇଏସଙ୍କ କ୍ଷେତ୍ରରେ ୧୫ବର୍ଷ ରହିଥିଲା।
ସେହିପରି ଅବସର ପୂର୍ବରୁ ସାଧାରଣ ବଦଳି ନକରିବାର ଅବଧିକୁ ୨ବର୍ଷରୁ ଏକବର୍ଷକୁ ହ୍ରାସ କରାଯାଇଛି। ନୂଆ ନିୟମ ଅନୁଯାୟୀ, ଇଞ୍ଜିନିୟରମାନଙ୍କ ଗୋଟିଏ ପଦବୀରେ ସାଧାରଣ କାର୍ଯ୍ୟକାଳ ୩ ବର୍ଷ ରହିବ, କିନ୍ତୁ ପ୍ରଶାସନିକ ଆବଶ୍ୟକତା ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କର୍ତ୍ତୃପକ୍ଷ ଚାହିଁଲେ ଯେକୌଣସି ସମୟରେ ବଦଳି କରିପାରିବେ।
ଗୃହ ଜିଲ୍ଲା ନିଯୁକ୍ତି କ୍ଷେତ୍ରରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏବେ ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ଏକଜ୍ୟୁଟିଭ୍ ଇଞ୍ଜିନିୟରମାନଙ୍କୁ ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ କରାଯିବ ନାହିଁ। ଆସିଷ୍ଟାଣ୍ଟ ଏକଜ୍ୟୁଟିଭ୍ ଇଞ୍ଜିନିୟରମାନେ ନିଜ ଗୃହ ଜିଲ୍ଲାର ସବଡିଭିଜନସ୍ତରରେ ନିୟୋଜିତ ହୋଇପାରିବେ ନାହିଁ, ସେମାନେ କେବଳ ଡିଭିଜନ, ସର୍କଲ କିମ୍ବା ଇଆଇସି କାର୍ଯ୍ୟାଳୟରେ ଷ୍ଟାଫ୍ ଅଫିସର ଭାବେ ରହିପାରିବେ। ସେହିପରି ଓଡିଇଏସ କ୍ୟାଡରର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରମାନଙ୍କୁ ନିଜ ଗୃହ ସବଡିଭିଜନରେ ପୋଷ୍ଟିଙ୍ଗ୍ ମିଳିବ ନାହିଁ।
ଏସବୁ ବ୍ୟତୀତ ଡେପୁଟେସନ କ୍ଷେତ୍ରରେ ସର୍ବାଧିକ ୬ବର୍ଷ ଅବଧି ରହିଥିବାବେଳେ ନୂଆ ନିୟମରେ ଏହା ୫ବର୍ଷ ଧାର୍ଯ୍ୟ ହୋଇଛି। ଆବଶ୍ୟକ ପଡ଼ିଲେ କର୍ତ୍ତୃପକ୍ଷଙ୍କ ଅନୁମତିରେ ଏହି ଅବଧିକୁ ଆଉ ୨ବର୍ଷ ବୃଦ୍ଧି କରାଯାଇପାରିବ। ବିଭାଗର ପୂର୍ବ ଅନୁମତି ବିନା କୌଣସି ଇଞ୍ଜିନିୟରଙ୍କୁ ଡେପୁଟେସନରେ ପଠାଯାଇପାରିବ ନାହିଁ। ସରକାର ଯେକୌଣସି ସମୟରେ ସମ୍ପୃକ୍ତ ଇଞ୍ଜିନିୟରଙ୍କ ଡେପୁଟେସନ ଅବଧି ସମାପ୍ତ କରି ତାଙ୍କୁ ନିଜ ମୂଳ ବିଭାଗକୁ ଫେରାଇ ଆଣିପାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୦୨୪ ନଭେମ୍ବର ୧୨ତାରିଖରେ ଇଞ୍ଜିନିୟରମାନଙ୍କ ବଦଳି ନୀତିରେ ସଂଶୋଧନ କରାଯାଇଥିଲା। ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଜାରି ବଦଳି ନୀତିରେ ସଂଶୋଧନ କରି ଡେପୁଟେସନରେ ଯାଉଥିବା ଇଞ୍ଜିନିୟରମାନଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍ଥାରେ ସର୍ବାଧିକ ଅବଧି ୬ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏହାସହିତ ଜଣେ ଇଞ୍ଜିନିୟରଙ୍କର ନିଜ ଚାକିରି କାଳ ମଧ୍ୟରେ ମୋଟ୍ ଡେପୁଟେସନ୍ ଅବଧି ୧୦ବର୍ଷରୁ ଅଧିକ ହୋଇପାରିବ ନାହିଁ। ଥରେ ଡେପୁଟେସନରୁ ଫେଣିବା ପରେ ପୁନର୍ବାର ଡେପୁଟେସନରେ ଯିବା ପୂର୍ବରୁ ୩ବର୍ଷର କୁଲିଙ୍ଗ୍ ଅଫ ପରିୟଡ଼ ବାଧ୍ୟତାମୂଳକ ଥିଲା। ମାତ୍ର ଆଜି ସଂଶୋଧିତ ନିର୍ଦ୍ଦେଶନାମାରେ ସେସବୁ ହଟାଇ ଦିଆଯାଇଛି ।


