
ନୂଆଦିଲ୍ଲୀ: ବନ୍ଦ ହେଉନି ଯୁଦ୍ଧ । ବଢୁଛି ବିଶ୍ୱର ଚିନ୍ତା । ୩୮ ଦିନ ପରେ ବି ଲଢୁଛି ଇରାନ । ଚରମସ୍ଥିତିରେ ପହଞ୍ଚିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ହୋର୍ମୁଜ ବନ୍ଦ ଥିଲା ବାଉଳିଚାଉଳି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ।ଇରାନକୁ କେତେବେଳେ ଧମକ ତ ପୁଣି କେତେବେଳେ ଅଶଭ୍ୟ ଭାଷାରେ ଗାଳି ଦେଉଛନ୍ତି । ଏବେ ଇରାନକୁ ଧ୍ୱଂସ କରିବାକୁ ନୂଆ ସମୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ମଙ୍ଗଳବାର ରାତି ୮ ଯାଏ ତେହେରାନକୁ ନୂଆ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ମଙ୍ଗଳବାର ପରେ ଯୁଦ୍ଧର ଗତି କଣ ହେବ ତାକୁ ନେଇ ଚିନ୍ତା ବଢିଛି । ତେବେ ଇରାନ ଜବାବ ଦେବ ବୋଲି କହିଛି ।
ଇରାନ ଚାହିଁଲେ ଚୁକ୍ତି ହୋଇପାରିବ । କିନ୍ତୁ ଏଥିପାଇଁ ମାତ୍ର ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସମୟ ଅଛି । ଏହା ଏକ ଭଲ ସୁଯୋଗ । ଯଦି ଇରାନ ତୁରନ୍ତ ଚୁକ୍ତି କରିବାରେ ବିଫଳ ହୁଏ, ତେବେ ମୁଁ ଏହାର ସବୁ କିଛି ଉଡ଼ାଇଦେବି । ଏହାର ତେଲକୁ ନେଇଯିବି । ମଙ୍ଗଳବାର ଇରାନରେ ବିନାଶଲୀଳା ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର ଇରାନକୁ ଏଭଳି ଧମକ ଦେଇଛନ୍ତି । ୨୪ ଘଣ୍ଟାରେ ଦ୍ୱିତୀୟ ଥର ଧମକାଇଛନ୍ତି ଟ୍ରମ୍ପ୍ । ଏମିତିକି ସେ ଅଶ୍ରାବ୍ୟ ଭାଷାରେ ଗାଳି ବି କରିଛନ୍ତି । ହୋର୍ମୁଜ ପ୍ରଣାଳୀ ନ ଖୋଲିଲେ ଭୟଙ୍କର ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି । ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ୍ ଲେଖିଛନ୍ତି, ଇରାନ ଯଥାଶୀଘ୍ର ହୋର୍ମୁଜ ପ୍ରଣାଳୀ ଖୋଲିଦେବା ଉଚିତ । ନଚେତ୍ ଏହାର ସବୁ ଛାରଖାର କରି ଦିଆଯିବ । ‘ହୋର୍ମୁଜ ଖୋଲ ନହେଲେ ନର୍କକୁ ଯିବ’ ବୋଲି କହିଛନ୍ତି ଟ୍ରମ୍ପ୍ । ଟ୍ରମ୍ପ୍ ଇରାନର ବିଦ୍ୟୁତ ପ୍ଲାଣ୍ଟ, ବ୍ରିଜ୍ ଭଳି ଭିତ୍ତିଭୂମି ବ୍ୟବସ୍ଥା ଉପରେ ସାଙ୍ଘାତିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ।
ଆମେରିକାର ଧମକ ବିଶ୍ୱ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ସେ ବର୍ତ୍ତମାନ ଇରାନ ସହିତ ଆଲୋଚନାରେ ନିୟୋଜିତ ଅଛନ୍ତି, ଯୁଦ୍ଧ ମଧ୍ୟରେ ସେ ପଛକୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି । ମଙ୍ଗଳବାରର ଶେଷ ତାରିଖ ପୂର୍ବରୁ ଏକ ଚୁକ୍ତି ହେବାର ସମସ୍ତ ସମ୍ଭାବନା ଅଛି, କିନ୍ତୁ ଧମକ ମଧ୍ୟ ଦେଇଛନ୍ତି, ” ଯଦି ସେମାନେ ଏକ ଚୁକ୍ତି ନ କରନ୍ତି, ତେବେ ମୁଁ ସେଠାରେ ସବୁକିଛି ଉଡ଼ାଇ ଦେବି ।”
ଇରାନ କହିଲା ଉପଯୁକ୍ତ ଜବାବ ଦେବୁ- ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି । ଇରାନ ପାଖରେ ଆଜି ପର୍ଯ୍ୟନ୍ତ ଏକ ସମୟସୀମା ଅଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଯେ, ଇରାନ ପାଖରେ ଏକ ଚୁକ୍ତି କରିବା ପାଇଁ ସମୟ ଅଛି, ଯଦି ଏହା ନ ହୁଏ, ତେବେ ମୁଁ ସବୁକିଛି ନଷ୍ଟ କରିଦେବି। ଟ୍ରମ୍ପଙ୍କ ଏହି ଧମକର ଇରାନ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ । ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଧମକର ଜବାବ ଦେଇ କହିଛନ୍ତି ଯେ, ଆମେରିକାର ଏପରି ପଦକ୍ଷେପ ସମଗ୍ର ଅଞ୍ଚଳକୁ ଏକ ବଡ଼ ସଂଘର୍ଷ ଆଡ଼କୁ ଠେଲି ଦେଉଛି । ଇରାନ ପ୍ରତ୍ୟେକ ଆକ୍ରମଣର ଉଚିତ୍ ଜବାବ ଦେବ। ସେ ଚେତାବନୀ ଦେଇଛନ୍ତି ଯେ ଆମେରିକାର ନୀତି ପ୍ରତ୍ୟେକ ପରିବାର ପାଇଁ ଏକ ଜୀବନ୍ତ ନର୍କ ପାଲଟିପାରେ ।




