
ଭୁବନେଶ୍ବର: ଓଡ଼ିଶା ପୁଣି ବନ୍ୟା ବିପଦର ସମ୍ମୁଖୀନ ହେଉଛି । ରାଜ୍ୟର ଉତ୍ତର ଭାଗରେ ପ୍ରବଳ ବର୍ଷା ହେବା ସହ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ଆହୁରି ଖରାପ ହେବା ପରେ, ରାଜ୍ୟ ସରକାର ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ, ଓଡ଼ିଶାରେ 2.37 ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଲୋକାମାନେ ବନ୍ୟା ଘେରରେ ରହିଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ଯରେ ଅତି ଭୀଷଣ ବର୍ଷା ହେଉଥିବ ବେଳେ ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖେ ଓ ସେମାନଙ୍କର ଉପନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି ।
ବନ୍ୟା ଯୋଗୁଁ 331 ଗ୍ରାମ ପଞ୍ଚାୟତ, 49 ବ୍ଲକ ଏବଂ ପାଞ୍ଚଟି ସହରାଞ୍ଚଳର 947ଟି ଗାଁର ପ୍ରାୟ 5.15 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ପ୍ରାୟ 90ଟି ଉଦ୍ଧାର ଦଳକୁ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରିଛନ୍ତି, ଯେଉଁଥିରେ 36ଟି ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF),7ଟି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ 47ଟି ଅଗ୍ନିଶମ ସେବା ଦଳ ଅନ୍ତର୍ଭୁକ୍ତ ରହିଛନ୍ତି । ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଶିକ୍ଷା ଏବଂ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଆଜି 4 ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ସ୍କୁଲ, କଲେଜ୍ ଏବଂ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାର 5 ବ୍ଲକରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ବିଦ୍ୟାଳୟ ବନ୍ଦ ରହିଲେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସଜାଗ ରହିବେ ।




