
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନେତୁଆ ପଞ୍ଚାୟତ ଅନ୍ତର୍ଗତ କପାସୁଦା ଗାଁରେ ଅଘଟଣ । ରାତିରେ ଘରେ ଶୋଇଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । କାନ୍ଥ ଭଗ୍ନାବଶେଷ ତଳେ ତାପି ହୋଇ ଆଈ ଓ ନାତିଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରବିବାର କପାସୁଦା ଗାଁର 65 ବର୍ଷୀୟା ରାଧିକା ଜେନା, ତାଙ୍କ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁ (18) ଓ ନାତୁଣୀ ସ୍ମୃତିରେଖା ସ୍ୱାଇଁ (17) ଘରେ ଶୋଇଥିଲେ । ଶୋଇଥିବା ବେଳେ ହଠାତ୍ ଘରର ମାଟି କାନ୍ଥଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ରାଧିକା ଏବଂ ତାଙ୍କ ନାତି ଜ୍ୟୋତି ପ୍ରକାଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।
ଏହି ଦୁର୍ଘଟଣାରେ ନାତୁଣୀ ସ୍ମୃତିରେଖା ଗୁରୁତର ଭାବେ ଆହତ ହୋଇଛନ୍ତି । ଶବ୍ଦ ଶୁଣି ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ତେବେ ବନ୍ୟା ଯୋଗୁଁ କପାସୁଦା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ବେଳେ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ସ୍ମୃତିରେଖାଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଏ ବିଷୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚିନ୍ମୟ ରାଉତ କହିଛନ୍ତି, “ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପାଖରୁ ସମ୍ପୂର୍ଣ୍ଣ ବିବରଣୀ ମାଗିଛୁ । ସେଠାରୁ ରିପୋର୍ଟ ଆସିଲେ ଜଣାପଡ଼ିବ କେଉଁ ପରିସ୍ଥିତିରେ ଏମିତି ଘଟଣା ଘଟିଛି ।”




