
ଏସବିଆଇ ନକଲି ସୁନା ଋଣ ମାମଲାରେ ଦୁଇ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ। ୫ କୋଟି ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା EOW। ସେମାନେ ହେଲେ ଚନ୍ଦନ କୁମାର ମହାଲା ଏବଂ ଦେବେନ୍ଦ୍ର ନିରଞ୍ଜନ ସାହୁ। SBI ଯାଜପୁର ବାଲିଚନ୍ଦ୍ରପୁର ଶାଖାରେ ହୋଇଥିବା ନକଲି ସୁନା ଋଣ ଠକେଇ ମାମଲାରେ EOW ଏହି ଦୁଇ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। ଏହି ମାମଲାରେ ବ୍ୟାଙ୍କର ସୁନା ମୂଲ୍ୟାଙ୍କନକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଗତ ଏପ୍ରିଲ ୨୧ ତାରିଖରେ EOW ଗିରଫ କରିସାରିଛି। ଜଗତସିଂହପୁର ଏସବିଆଇ ଆଞ୍ଚଳିକ ପ୍ରବନ୍ଧକ ପୀୟୁଷ ରଞ୍ଜନ ସ୍ୱାଇଁଙ୍କ ଲିଖିତ ଅଭିଯୋଗକୁ ଆଧାର କରି EOW ତଦନ୍ତ ଆରମ୍ଭ କରିଥିଲା। ଅକ୍ଟୋବର ୨୦୨୪ରୁ ଜୁଲାଇ ୨୦୨୫ ମଧ୍ୟରେ ବାଲିଚନ୍ଦ୍ରପୁର ଶାଖାରେ ମୋଟ ୧୦୫ଟି ସୁନା ଋଣ ଜାଲିଆତି କରି ମଞ୍ଜୁର କରାଯାଇଥିଲା।
EOWର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ୧୦୫ଟି ଋଣ ଖାତା ମଧ୍ୟରୁ ୬୨ଟି ଖାତାରେ କୌଣସି ସୁନା ଗହଣା ରଖା ନଯାଇ କେବଳ କାଗଜପତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଗାୟବ କରାଯାଇଥିଲା। ଫାଇଲରେ ଗ୍ରାହକମାନଙ୍କ ଜାଲ୍ ଦସ୍ତଖତ କରାଯାଇଥିବା ବେଳେ ମୂଲ୍ୟାଙ୍କନ ରିପୋର୍ଟ ମଧ୍ୟ ଗାୟବ ଥିଲା।


