
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତତ୍କାଳ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ସରକାରୀ ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ନିଲମ୍ବନ ଅବଧିରେ ମନୋଜ କୁମାର ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ୍ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍ଡ଼ିସିଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏଥିସହ ତହସିଲଦାରଙ୍କ ବିରୋଧରେ ଥିବା ଅଭିଯୋଗର ତାଲିକା, ସମ୍ପୃକ୍ତ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଦଲିଲ ଦାଖଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଦୁର୍ନୀତି ଓ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ତ୍ୱରିତ ପଦକ୍ଷେପ ନେବା ସହ ଲୋକାଭିମୁଖୀ ରାଜସ୍ୱ ସେବା ପ୍ରଦାନ ପାଇଁ ବିଭାଗ ପ୍ରତିବଦ୍ଧ ବୋଲି କୁହାଯାଇଛି। ତେବେ ନିଲମ୍ବନ ସମ୍ପର୍କିତ ଆଦେଶରେ ତାଙ୍କ ବିରୋଧରେ ଥିବା ନିର୍ଦ୍ଦିଷ୍ଟ ଅଭିଯୋଗର ବିବରଣୀ ଉଲ୍ଲେଖ କରାଯାଇନାହିଁ।







