
ଭୁବନେଶ୍ବର: ଓଡ଼ିଶାରେ ପୋଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କନଷ୍ଟେବଳରୁ ଆରମ୍ଭ କରି ସବଇନ୍ସପେକ୍ଟର ପର୍ଯ୍ୟନ୍ତ ନିଯୁକ୍ତି ହେବ । ୭,୬୬୪ଟି ଖାଲି ପଡ଼ିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ନୂଆ କରି ଗଠନ ହୋଇଥିବା ଓଡ଼ିଶା ୟୁନିଫର୍ମଡ ସର୍ଭିସେସ ଷ୍ଟାଫ ସିଲେକ୍ସନ କମିଶନ ବା OUSSSC (Odisha Uniformed Services Staff Selection Commission) ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯିବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଏକ ଅଧିକୃତ ଆଦେଶ ଜାରି ହୋଇଛି । ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି ।
ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି, ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଥିଲା । ଏଥି ଯୋଗୁ ନିଯୁକ୍ତି ପରୀକ୍ଷାରେ ଅସ୍ଵାଭାବିକ ବିଳମ୍ବ ଏବଂ ଅନିୟମିତତା ଦେଖା ଦେଇଛି । ଏସଆଇ ପରୀକ୍ଷା ଭଳି ଅତୀତରେ ରାଜ୍ୟ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ରହିଛି । ବିଭିନ୍ନ ସ୍ତରରେ ଏହାର ତଦନ୍ତ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରିଛନ୍ତି । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇପିଏସ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ନିଯୁକ୍ତି ଦେଇଛନ୍ତି । OUSSSCକୁ ବର୍ତ୍ତମାନ ପ୍ରଥମ କରି ବଡ଼ ଦାଇତ୍ୱ ଦେଇଛନ୍ତି ମୋହନ ସରକାର । ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ OUSSSCକୁ ଦେବାକୁ ଅନୁମୋଦନ କରିଛନ୍ତି । OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗର ଉପ ସଚିବ ତରୁଣ କୁମାର ପଣ୍ଡା ଚିଠି ଲେଖିଛନ୍ତି ।
ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ । ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ) ପଦ, ୨,୨୧୨ଟି OISF କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି SI ଓ ଏଏସଆଇ rank ପଦ ରହିଛି । ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୋଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ।








